ଭୁବନେଶ୍ୱର: ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଓଡ଼ିଶା ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟରେ ଓଡ଼ିଶା ଜୀବିକା ମିସନ (ଓଏଲ୍‌ଏମ୍‌) ଅଧୀନରେ ୨୬.୫୯ ଲକ୍ଷ ମହିଳା ‘ଲକ୍ଷପତି ଦିଦି’ ଭାବେ ମାନ୍ୟତା ପାଇଛନ୍ତି। ଏଥିସହ ୫.୯୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ବ୍ୟାଙ୍କ ଋଣ ସଂଯୋଗ ମାଧ୍ୟମରେ ୭୫,୧୧୬ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି।

ବୁଧବାର ଅନୁଷ୍ଠିତ ଓଡ଼ିଶା ଜୀବିକା ମିସନର ପଞ୍ଚମ ପରିଚାଳନା କମିଟି ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକର ଆୟ ବୃଦ୍ଧି ଓ ମହିଳାଙ୍କ ଆର୍ଥିକ ସ୍ୱାଧୀନତାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୪ରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ହାରାହାରି ବ୍ୟାଙ୍କ ଋଣ ପରିମାଣ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ରେ ଏହା ବୃଦ୍ଧି ପାଇ ୫.୯୬ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହା ଗୋଷ୍ଠୀଗୁଡ଼ିକର ଆର୍ଥିକ ସୁବିଧା ଓ ଉଦ୍ୟୋଗ ବିକାଶ ପାଇଁ ଋଣ ଉପଲବ୍ଧତା ବଢ଼ିଥିବାର ସୂଚନା ଦେଉଛି।

ସେହିପରି ୧.୭୦ ଲକ୍ଷ ବ୍ୟକ୍ତିଗତ ଓ ଗୋଷ୍ଠୀ ଉଦ୍ୟୋଗୀଙ୍କୁ ମୋଟ ୭,୯୯୭ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ଏହି ସହାୟତା ମାଧ୍ୟମରେ ମହିଳା ଉଦ୍ୟୋଗୀମାନେ ନିଜର ବ୍ୟବସାୟ ଆରମ୍ଭ କରିବା ଓ ତାହାକୁ ଆଗକୁ ବଢ଼ାଇବାର ସୁଯୋଗ ପାଉଛନ୍ତି।

ଜୀବିକା କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଂଶଗ୍ରହଣ ବ୍ୟାପକ ରହିଛି। ୫୦ ଲକ୍ଷରୁ ଅଧିକ ସଦସ୍ୟ କୃଷିଭିତ୍ତିକ ଜୀବିକାରେ ନିୟୋଜିତ ଥିବାବେଳେ ୨ ଲକ୍ଷରୁ ଅଧିକ ସଦସ୍ୟ ସେବା କ୍ଷେତ୍ରରେ ଏବଂ ୨.୩୦ ଲକ୍ଷ ସଦସ୍ୟ ଅଣକୃଷି ଓ ଅନ୍ୟାନ୍ୟ ଉଦ୍ୟୋଗରେ କାର୍ଯ୍ୟ କରୁଛନ୍ତି। ପଶୁପାଳନ, ଜଳଚାଷ, ଉତ୍ପାଦନ, ବ୍ୟବସାୟ ଓ ସେବାଭିତ୍ତିକ କାର୍ଯ୍ୟ ମାଧ୍ୟମରେ ସେମାନେ ଆୟର ବିଭିନ୍ନ ଉତ୍ସ ସୃଷ୍ଟି କରୁଛନ୍ତି।

ମହିଳାଙ୍କ ସାମାଜିକ ସୁରକ୍ଷାକୁ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୭ ଲକ୍ଷ ପଞ୍ଜୀକରଣ ଲକ୍ଷ୍ୟର ୯୬ ପ୍ରତିଶତ ହାସଲ ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୪୭.୨୬ ଲକ୍ଷ ପଞ୍ଜୀକରଣ ଲକ୍ଷ୍ୟର ୯୭ ପ୍ରତିଶତ ସଫଳତା ମିଳିଛି।

ବୈଠକରେ ଉଚ୍ଚପଦସ୍ଥ ଅଧିକାରୀମାନେ ସଫଳ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆଦର୍ଶ ଭାବେ ଗଢ଼ି ତୋଳିବା ସହ ସେମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ଉପରେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳର ମହିଳାଙ୍କ ଆୟ ବୃଦ୍ଧି ଓ ସ୍ଥାୟୀ ଜୀବିକା ସୃଷ୍ଟି ପାଇଁ ଯୋଜନାଗୁଡ଼ିକର ନିୟମିତ ସମୀକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।