ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ଏବେ ଆଉ ନିକଟତର ହେବାକୁ ଯାଉଛି। ରାଜ୍ୟର ୭୧ଟି ସରକାରୀ ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ (Plus 2) ରେ ଉନ୍ନୀତ କରାଯାଇ ପାଠପଢ଼ା ଆରମ୍ଭ କରାଯିବ। ‘ସମଗ୍ର ଶିକ୍ଷା’ ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି।

ଏହି ବୃହତ୍ ପ୍ରକଳ୍ପ ପାଇଁ ମୋଟ ୧୪୦ କୋଟି ୭୩ ଲକ୍ଷ ୮୦ ହଜାର ଟଙ୍କାର ବଜେଟ୍ ମଧ୍ୟ ମଞ୍ଜୁର କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ୬୦ଟି ବିଦ୍ୟାଳୟରେ କଳା ଏବଂ ୧୧ଟି ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ (+2) ପାଠପଢ଼ା ଆରମ୍ଭ ହେବ। ଏହାଦ୍ୱାରା ଗ୍ରାମାଞ୍ଚଳର ପିଲାମାନଙ୍କୁ ଆଉ ଦୂର ସହରକୁ ଯାଇ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ପଡ଼ିବ ନାହିଁ।

କେନ୍ଦ୍ରୀୟ ମଞ୍ଜୁରୀ ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି

ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଏହି ଅନୁମୋଦନ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରାଇଛନ୍ତି।

ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଜିଲ୍ଲା ଅଧ୍ୟକ୍ଷମାନଙ୍କ ସୁପାରିସକୁ ଆଧାର କରି ଏହି ୭୧ଟି ବିଦ୍ୟାଳୟକୁ ଚୟନ କରାଯାଇଥିଲା। PABର ଏହି ନିଷ୍ପତ୍ତି ରାଜ୍ୟର ଗ୍ରାମୀଣ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଉଚ୍ଚମାଧ୍ୟମିକ ଶିକ୍ଷାର ପହଞ୍ଚ ବୃଦ୍ଧି କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।