ଭୁବନେଶ୍ବର: ଓଡ଼ିଶାର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ୧୦ଟି ନୂଆ ବିମାନ ରୁଟ୍‌କୁ ଅନୁମୋଦନ କରିଛନ୍ତି। ମୁଖ୍ୟ ବିନ୍ଦୁଗୁଡ଼ିକ ନୂଆ ରୁଟ୍‌ ଭୁବନେଶ୍ୱର ଏବଂ ଝାରସୁଗୁଡ଼ାକୁ ଅହମ୍ମଦାବାଦ, ପୁଣେ, ଜୟପୁର, ଭୋପାଳ, ସିରିଡ଼ି, ତିରୁପତି, ସୁରଟ, ପୁରୀ, କୋଲକାତା ଏବଂ ଉଜ୍ଜୟିନୀ ସହିତ ଯୋଡ଼ାଯିବ।

ଏହି ରୁଟ୍‌ଗୁଡ଼ିକରେ ଷ୍ଟାର୍ ଏୟାର’ (Star Air) ପକ୍ଷରୁ ଛୋଟ ବିମାନ ମାଧ୍ୟମରେ ସେବା ଯୋଗାଇ ଦିଆଯିବାର ସମ୍ଭାବନା ରହିଛି। ସତିଭଟା, ଜମାଦାରପାଲି, ରାଇସୁଆଁ, ଅମର୍ଦା ରୋଡ୍ ଏବଂ ଗୋତମା ଭଳି ଏୟାରଷ୍ଟ୍ରିପ୍‌ଗୁଡ଼ିକର ଉନ୍ନତିକରଣ କରାଯିବ। ଏଥିସହିତ ଜୟପୁର ଏବଂ ତୁଷୁରା ବିମାନବନ୍ଦରର ମଧ୍ୟ ବିକାଶ କରାଯିବ।

୨୦୨୫-୩୦ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ୍ ୪,୧୮୨ କୋଟି ଟଙ୍କାର ‘ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ ଆସେଟ୍ସ ଆଣ୍ଡ ନେଟୱର୍କ’ (B-MAAN) ସ୍କିମ୍‌କୁ ମଞ୍ଜୁରୀ ଦେଇଛନ୍ତି। ଏଥିରୁ ୫୦୦ କୋଟିରୁ ଅଧିକ ଟଙ୍କା କେବଳ ଏୟାରଷ୍ଟ୍ରିପ୍ ବିକାଶ ପାଇଁ ଖର୍ଚ୍ଚ ହେବ।

ନବରଙ୍ଗପୁର ଏବଂ ଫୁଲବାଣୀ ପରି ଜିଲ୍ଲାଗୁଡ଼ିକରେ ହେଲିପୋର୍ଟ ନିର୍ମାଣ ପାଇଁ ଯୋଜନା କରାଯାଇଛି। ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଝାରସୁଗୁଡ଼ା ଏବଂ ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ମେ’ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ଉପକୃତ ହେବ ବୋଲି ଆଶା କରାଯାଉଛି।