ଭୁବନେଶ୍ୱର: ଓଡ଼ିଶାରେ ୧୯ଟି ନୂଆ ଶିଳ୍ପ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ₹୩,୨୮୦.୫୮ କୋଟି ନିବେଶ ହେବା ସହ ୧୦,୬୬୧ଟି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି।
ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକ ବାୟୋଫ୍ୟୁଏଲ୍, ଟେକ୍ସଟାଇଲ୍ ଓ ଆପାରେଲ୍, ଫୁଡ୍ ପ୍ରୋସେସିଂ, ଷ୍ଟିଲ୍ ଡାଉନଷ୍ଟ୍ରିମ୍, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର୍, କେମିକାଲ୍, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରର। ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ ହେବ।
ବାୟୋଫ୍ୟୁଏଲ୍ରେ ₹୧,୧୩୦ କୋଟି
ବାୟୋଫ୍ୟୁଏଲ୍ କ୍ଷେତ୍ରରେ ଦୁଇଟି ବଡ଼ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ୮ଟି ଜିଲ୍ଲାରେ ମୋଟ ୩୯,୬୦୦ ଟନ୍ ବାର୍ଷିକ କ୍ଷମତାର କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG) ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିପାଇଁ ₹୯୬୦ କୋଟି ନିବେଶ ହେବ ଏବଂ ୭୬୦ଟି ଚାକିରି ସୃଷ୍ଟି ହେବ। ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ଏହି ପ୍ରକଳ୍ପ ହେବ। ଗଞ୍ଜାମରେ କିନେଟା ଗ୍ଲୋବାଲ୍ ଲିମିଟେଡ୍ ₹୧୭୦ କୋଟିରେ ଆଉ ଏକ CBG ପ୍ଲାଣ୍ଟ୍ ସ୍ଥାପନ କରିବ।
ଟେକ୍ସଟାଇଲ୍ରେ ୪,୮୩୫ ନିଯୁକ୍ତି
ଖୋର୍ଦ୍ଧାରେ ଡଲାର୍ ଇଣ୍ଡଷ୍ଟ୍ରିଜ୍ ₹୧୨୫ କୋଟି ନିବେଶରେ ଇଣ୍ଟିଗ୍ରେଟେଡ୍ ହୋଜିଆରୀ ମାନୁଫାକ୍ଚରିଂ ୟୁନିଟ୍ କରିବ। ଏଥିରୁ ୧,୧୮୫ଟି ନିଯୁକ୍ତି ସମ୍ଭାବନା ରହିଛି। ପୁରୀରେ ସାଇ ୱାର୍କୱେୟାର୍ ପ୍ରାଇଭେଟ୍ ଲିମିଟେଡ୍ ₹୫୯ କୋଟି ନିବେଶରେ ଟେକ୍ନିକାଲ୍ ଟେକ୍ସଟାଇଲ୍ ଓ ପ୍ରୋଟେକ୍ଟିଭ୍ ୱାର୍କୱେୟାର୍ ୟୁନିଟ୍ କରିବ। ଏଥିରେ ୩,୬୫୦ଟି ଚାକିରି ସୃଷ୍ଟି ହେବ, ଯାହା ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସର୍ବାଧିକ।
ଖାଦ୍ୟ ପ୍ରକ୍ରିୟାକରଣରେ ଦୁଇ ୟୁନିଟ୍
ଖୋର୍ଦ୍ଧାରେ ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ ₹୧୨୦ କୋଟି ନିବେଶରେ ସ୍ନାକ୍ସ, ସାଭୋରିଜ୍ ଓ ନମକିନ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରେ ୩୫୦ଟି ଚାକିରି ହେବ। କଟକରେ ଜୟ ଭବାନୀ ଫୁଡ୍ସ ₹୧୦୦ କୋଟି ନିବେଶରେ ଫୁଡ୍ ଓ କନଫେକ୍ସନେରୀ କୋ-ପ୍ୟାକେଜିଂ ୟୁନିଟ୍ କରିବ, ଯେଉଁଥିରେ ୫୫୦ ନିଯୁକ୍ତି ସମ୍ଭାବନା ରହିଛି।
ଷ୍ଟିଲ୍ ଡାଉନଷ୍ଟ୍ରିମ୍ରେ ୩ ପ୍ରକଳ୍ପ
ଦେବଗଡ଼, ସୁନ୍ଦରଗଡ଼ ଓ କଟକରେ ଷ୍ଟିଲ୍ ଡାଉନଷ୍ଟ୍ରିମ୍ କ୍ଷେତ୍ରର ୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। SPS Arihant Steel Structures ₹୧୪୦ କୋଟି ନିବେଶରେ ଷ୍ଟିଲ୍ I-girder, box beam, fastener ଓ TMT rebar coupler ଉତ୍ପାଦନ କରିବ। ଏଥିରେ ୫୯୫ଟି ନିଯୁକ୍ତି ହେବ। Steeledge Fabrication ସୁନ୍ଦରଗଡ଼ରେ ₹୧୦୮.୮୨ କୋଟି ନିବେଶ କରିବ ଏବଂ Bhubaneswar Udyog କଟକରେ ₹୧୦୧.୯୯ କୋଟି ନିବେଶରେ GI ଓ ଷ୍ଟିଲ୍ ଉତ୍ପାଦ ତିଆରି କରିବ।
ପ୍ଲାଷ୍ଟିକ୍ ଓ ଟେକ୍ନୋଲୋଜି କ୍ଷେତ୍ରରେ ନିବେଶ
ଖୋର୍ଦ୍ଧାରେ Shri Dakshineshwari Maa Polyfabs ₹୪୦୧.୬୩ କୋଟି ନିବେଶରେ PP woven ଓ non-woven fabric ଏବଂ ବ୍ୟାଗ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ପ୍ରକଳ୍ପରୁ ୪୯୦ଟି ଚାକିରି ହେବା ଆକଳନ କରାଯାଇଛି। ଏହାଛଡ଼ା ଟାଟା ପାୱାର୍ ଖୋର୍ଦ୍ଧାରେ ₹୫୪.୩୧ କୋଟି ନିବେଶରେ ଏକ Global Capability Centre ସ୍ଥାପନ କରିବ, ଯେଉଁଥିରେ ୧୧୦ ଜଣଙ୍କ ନିଯୁକ୍ତି ସମ୍ଭାବନା ରହିଛି।
ପର୍ଯ୍ୟଟନରେ ୫ ପ୍ରକଳ୍ପ
ଗଞ୍ଜାମ, ପୁରୀ, ଝାରସୁଗୁଡ଼ା ଓ କୋରାପୁଟରେ ୫ଟି ହୋଟେଲ୍ ଓ ରିସର୍ଟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଗୁଡ଼ିକ ମଧ୍ୟରେ ୫-ଷ୍ଟାର୍ ହୋଟେଲ୍ ଓ ବିଚ୍ ରିସର୍ଟ ସହ ୪-ଷ୍ଟାର୍ ରିସର୍ଟ ରହିଛି। ପର୍ଯ୍ୟଟନ କ୍ଷେତ୍ରର ଏହି ୫ଟି ପ୍ରକଳ୍ପରେ ମୋଟ ପ୍ରାୟ ₹୭୬୭ କୋଟି ନିବେଶ ହେବ।ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ସ୍ଥାନୀୟ ସମ୍ପଦର ମୂଲ୍ୟବୃଦ୍ଧି, ସପ୍ଲାଏ ଚେନ୍ ବିକାଶ ଓ ସ୍ଥାୟୀ ଆର୍ଥିକ ସୁଯୋଗ ସୃଷ୍ଟି କରୁଥିବା ନିବେଶକୁ ସରକାର ପ୍ରୋତ୍ସାହନ ଦେଉଛି।




