ଭୁବନେଶ୍ୱର: ସଂଶୋଧିତ ଖାଣି ଓ ଖନିଜ (ବିକାଶ ଓ ନିୟମନ) ଆଇନ ବା MMDR Act କୁ ନେଇ ଓଡ଼ିଶା ବିଧାନସଭା କମ୍ପିବାରେ ଲାଗିଛି। ବୁଧବାର ବିଧାନସଭା କାର୍ଯ୍ୟସୂଚୀ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଏହି ଆଇନର ପ୍ରତ୍ୟାହାର ଦାବି କରି ପ୍ରବଳ ହଙ୍ଗାମା କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ବୁଧବାର ଗୃହର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ସରକାରବିରୋଧୀ ନାରାବାଜି କରିଥିଲେ। କଂଗ୍ରେସ ବିଧାୟକମାନେ ବେକରେ ପ୍ରତିବାଦ ପୋଷ୍ଟର ଝୁଲାଇ ଏକ ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଥିଲେ। ସେମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏକତ୍ରିତ ହୋଇ MMDR ଆଇନ ପ୍ରତ୍ୟାହାର ଦାବିରେ ନାରାବାଜି କରିଥିଲେ।
କଂଗ୍ରେସର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜୁ ଜନତା ଦଳ ର ବିଧାୟକମାନେ ଗୃହର ମଧ୍ୟଭାଗ କୁ ଆସି ବିଜେପି ସରକାର ବିରୋଧରେ ପ୍ରବଳ ସ୍ଲୋଗାନବାଜି କରିଥିଲେ।
ବିରୋଧୀଙ୍କ ନାରାବାଜି ଏବଂ ପ୍ରତିବାଦ ଯୋଗୁଁ ବାଚସ୍ପତିଙ୍କ ପୋଡିୟମ୍ ଘେରାଉ ହୋଇ ରହିଥିଲା। ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ପରିଚାଳନା କରିବା ଅସମ୍ଭବ ହୋଇପଡ଼ିଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ରାଜ୍ୟର ଖଣି ସମ୍ପଦ ଓ ସ୍ଥାନୀୟ ଅଧିକାରକୁ ନେଇ MMDR ଆଇନ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆଗାମୀ ଦିନରେ ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।




