ଭୁବନେଶ୍ୱର: ରାଜ୍ୟର ଏକାଧିକ ସହରାଞ୍ଚଳ, ଶିଳ୍ପ କେନ୍ଦ୍ର ଏବଂ ଭିତ୍ତିଭୂମି ନେଟୱର୍କର ସମନ୍ୱିତ ଯୋଜନା ଓ ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ବିଧାନସଭାରେ ସୋମବାର ‘ଅର୍ଥନୈତିକ ଅଞ୍ଚଳ ବିକାଶ ପ୍ରାଧିକରଣ’ଗଠନ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ‘ଓଡ଼ିଶା ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ୍, ୨୦୨୬’ ପାରିତ ହେବା ଫଳରେ ରାଜ୍ୟର ‘ଭିଜନ ୨୦୩୬’ ଅଧୀନରେ ପରିକଳ୍ପିତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ଏବଂ ଅନ୍ୟାନ୍ୟ ଅର୍ଥନୈତିକ ଅଞ୍ଚଳ ପାଇଁ ଆଇନଗତ ଢାଞ୍ଚା ପ୍ରସ୍ତୁତ ହୋଇଛି।

ଏହି ତାଲିକାରେ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଏବଂ ଜୟପୁର-କୋରାପୁଟ-ସୁନାବେଡ଼ା ସମେତ ପର୍ଯ୍ୟାୟକ୍ରମେ ବିକାଶ ପାଇଁ ସରକାର ଚିହ୍ନଟ କରିବାକୁ ଥିବା ଅନ୍ୟାନ୍ୟ ଅଞ୍ଚଳ ସାମିଲ ରହିଛି। ସଂଶୋଧିତ ଆଇନ ଅନୁଯାୟୀ, ଦୁଇ ବା ତତୋଧିକ ବିଦ୍ୟମାନ ବିକାଶ ପ୍ରାଧିକରଣ ବା ସ୍ଥାନୀୟ ସଂସ୍ଥାକୁ ନେଇ ଗଠିତ ଭୌଗୋଳିକ ଅଞ୍ଚଳକୁ ‘ଅର୍ଥନୈତିକ ଅଞ୍ଚଳ’ ଭାବେ ପରିଭାଷିତ କରାଯାଇଛି, ଯାହାକୁ ଅର୍ଥନୈତିକ, ଶିଳ୍ପ, ଭିତ୍ତିଭୂମି ଏବଂ ପରିବହନ ନେଟୱର୍କର ସମନ୍ୱିତ ବିକାଶ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିପାରିବେ।

ଏହି ସଂଶୋଧନ ମାଧ୍ୟମରେ ଓଡ଼ିଶା ବିକାଶ ପ୍ରାଧିକରଣ ଆଇନରେ ଏକ ନୂତନ ଅଧ୍ୟାୟ ଯୋଡ଼ାଯାଇଛି ଏବଂ ପ୍ରତ୍ୟେକ ବିଜ୍ଞପିତ ଅର୍ଥନୈତିକ ଅଞ୍ଚଳ ପାଇଁ ଏକ ବୈଧାନିକ ପ୍ରାଧିକରଣ ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ଏହି ପ୍ରାଧିକରଣର ଅଧ୍ୟକ୍ଷ ରହିବେ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହା ସହିତ ଅର୍ଥ, ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଯୋଜନା ଓ ସଂଯୋଜନ ବିଭାଗର ମନ୍ତ୍ରୀମାନେ ଏହାର ସଦସ୍ୟ ରହିବେ। ଏଥିସହ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜିଲ୍ଲାପାଳ, ମେୟର, ପୌରାଞ୍ଚଳ ଓ ବିକାଶ ପ୍ରାଧିକରଣ ମୁଖ୍ୟ, ବନ୍ଦର କର୍ତ୍ତୃପକ୍ଷ ଏବଂ ୱାଟକୋ (WATCO), ଇଡକୋ (IDCO) ଓ ଇପିକଲ (IPICOL) ଭଳି ପ୍ରମୁଖ ରାଜ୍ୟ ସଂସ୍ଥାର ପ୍ରତିନିଧିମାନେ ଏଥିରେ ସାମିଲ ହେବେ।

ସରକାର ଆଞ୍ଚଳିକ ଯୋଜନା, ଭିତ୍ତିଭୂମି, ଅର୍ଥ ଏବଂ ପରିବେଶ ପରିଚାଳନା କ୍ଷେତ୍ରରୁ ଦୁଇଜଣ ବିଶେଷଜ୍ଞଙ୍କୁ ମନୋନୀତ କରିପାରିବେ। ଅଧ୍ୟକ୍ଷ ସମ୍ପୃକ୍ତ ଅର୍ଥନୈତିକ ଅଞ୍ଚଳର ନିର୍ବାଚନମଣ୍ଡଳୀରୁ ରୋଟେସନ୍ ଭିତ୍ତିରେ ଜଣେ ସାଂସଦ ଏବଂ ଚାରିଜଣ ବିଧାୟକଙ୍କୁ ସଦସ୍ୟ ଭାବେ ମନୋନୀତ କରିବେ। ରାଜ୍ୟ ସରକାରଙ୍କ ସଚିବ ପାହ୍ୟାରୁ କମ୍ ନଥିବା ଜଣେ ଅଧିକାରୀଙ୍କୁ ମୁଖ୍ୟ କମିଶନର ଭାବେ ନିଯୁକ୍ତି ଦିଆଯିବ, ଯିଏକି ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ଏହି ପ୍ରାଧିକରଣ ଆଞ୍ଚଳିକ ବିକାଶ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା, ଜମି ବ୍ୟବହାର ନିୟନ୍ତ୍ରଣ କରିବା, ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଯୋଜନା କରିବା ଏବଂ ଶିଳ୍ପ ବିକାଶରେ ସମନ୍ୱୟ ରକ୍ଷା କରିବା ପାଇଁ ଦାୟୀ ରହିବ। ସରକାରଙ୍କ ଅନୁମୋଦନ କ୍ରମେ ଏହି ସଂସ୍ଥା ଜମି ଅଧିଗ୍ରହଣ କରିବା, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍, ଶିଳ୍ପ ପାର୍କ ଓ ସହରାଞ୍ଚଳ କେନ୍ଦ୍ର ବିକଶିତ କରିବା, ବିକାଶ ଓ ସେବା ଶୁଳ୍କ ଆଦାୟ କରିବା ଏବଂ ଯୌଥ ଉଦ୍ୟୋଗ ଗଠନ କରିବାର କ୍ଷମତା ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇ ବର୍ଷ ମଧ୍ୟରେ ଆଞ୍ଚଳିକ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ, ଯେଉଁଥିରେ ରାଜପଥ, ରେଳପଥ, ବନ୍ଦର ସଂଯୋଗୀକରଣ, ଜଳ ଯୋଗାଣ, ବିଦ୍ୟୁତ୍, ଡିଜିଟାଲ୍ ଭିତ୍ତିଭୂମି ଏବଂ ପରିବେଶ ସୁରକ୍ଷା ଆଦି ଅନ୍ତର୍ଭୁକ୍ତ ରହିବ।