ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ଦିନ। ପ୍ରଥମ ତିନି ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ପ୍ରତିବାଦ ପରେ ଏବେ ଗୃହ କାର୍ଯ୍ୟରେ ସ୍ୱାଭାବିକତା ଫେରିଛି। ଆଜିଠାରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ର ବିଭାଗୱାରୀ ଖର୍ଚ୍ଚ ଦାବି ଉପରେ ବିସ୍ତୃତ ଆଲୋଚନା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ହେବ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ଆଜି ଗୃହରେ ବହୁଚର୍ଚ୍ଚିତ କୋଟିଆ ସୀମା ବିବାଦ ପ୍ରସଙ୍ଗ ଉଠିବାର ପ୍ରବଳ ସମ୍ଭାବନା ରହିଛି। କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ଅନୁପ୍ରବେଶ ଏବଂ ଆସନ୍ତା ଡିସେମ୍ବର ୨ ତାରିଖରେ ପୁଣିଥରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ପ୍ରଶାସନ ପ୍ରସ୍ତୁତି ଚୂଡ଼ାନ୍ତ କରିବା ଘଟଣାକୁ ନେଇ ସମଗ୍ର ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ‘ଟ୍ରିପଲ୍ ଇଞ୍ଜିନ୍’ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବା ପାଇଁ ବାଚସ୍ପତି ପୂର୍ବରୁ ଗୃହରେ ରୁଲିଂ ବା ଘୋଷଣା କରିଥିଲେ। ତେଣୁ ଆଜି ଶାସକ ଓ ବିରୋଧୀ ସଦସ୍ୟଙ୍କ ମୁହାଁମୁହିଁ ଯୋଗୁଁ ଗୃହ ବେଶ୍ ସରଗରମ ହେବା ଆଶା କରାଯାଉଛି।

ଅନ୍ୟପକ୍ଷରେ, ଆଜି ବିଧାନସଭାର ପ୍ରଶ୍ନକାଳ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ପ୍ରମୁଖ ବିଭାଗ ସମ୍ପର୍କିତ ତାରକା ଚିହ୍ନିତ ଓ ଅଣତାରକା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା ହେବ। ବିଭାଗୀୟ ମନ୍ତ୍ରୀମାନେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖିବେ।

ଚାଷୀ ସମସ୍ୟା, ସାର ଅଭାବ, ବିଦ୍ୟୁତ୍ ସେବା ଏବଂ ସୀମା ସୁରକ୍ଷା ଭଳି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଜି ଉଭୟ ଶାସକ ଓ ବିରୋଧୀ ଦଳ ଗୃହରେ ନିଜ ନିଜର ପକ୍ଷ ରଖିବେ। ବିନା ବାଧାରେ ପ୍ରଶ୍ନକାଳ ଓ ବଜେଟ୍ ଆଲୋଚନା ସୁରୁଖୁରୁରେ ସମ୍ପନ୍ନ ହେବା ନେଇ ଆଶା କରାଯାଉଛି।