ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ମିତ୍ରପୁରସ୍ଥିତ ପରିତ୍ୟକ୍ତ ଖାଦାନ (ବ୍ଲୁ ଲେକ୍) ପାଣିରେ ବୁଡ଼ି ନିଖୋଜ ଥିବା ଦୁଇ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୨୪ ଘଣ୍ଟାର ନିରନ୍ତର ସର୍ଚ୍ଚ ଅପରେସନ୍ ପରେ ସ୍କୁବା ଟିମ୍, ଓଡ୍ରାଫ୍ (ODRAF) ଏବଂ ଅଗ୍ନିଶମ ବାହିନୀ ମିଳିତ ଭାବେ ଦୁଇ ମୃତକଙ୍କ ଶବ ପାଣି ଭିତରୁ ଉଦ୍ଧାର କରିଛନ୍ତି।

ମୃତ ଛାତ୍ର ଦ୍ୱୟ ହେଲେ ବାଲେଶ୍ୱର ଫକୀର ମୋହନ (ଏଫ୍.ଏମ୍) କଲେଜର ବାଣିଜ୍ୟ ବିଭାଗର ଛାତ୍ର ଭବେଶ ପାତ୍ର (ମୟୂରଭଞ୍ଜ/ବାରିପଦା) ଏବଂ ଅଂଶୁମାନ ପାତ୍ର (ଭଦ୍ରକ)।

ସୂଚନା ଅନୁଯାୟୀ, ତିନି ଜଣ ସାଙ୍ଗ ନୀଳଗିରି ମଛୁଆ/ମିତ୍ରପୁର ନିକଟସ୍ଥ ପରିତ୍ୟକ୍ତ ପଥର ଖାଦାନ (ବ୍ଲୁ ଲେକ୍) ବୁଲିବାକୁ ଯାଇ ଗାଧୋଉଥିଲେ। ଗାଧୋଇବା ସମୟରେ ଗଭୀର ପାଣିରେ ଗୋଡ଼ ଖସିଯିବାରୁ ୨ ଜଣ ସାଙ୍ଗ ବୁଡ଼ି ନିଖୋଜ ହୋଇଯାଇଥିଲେ, ଯେତେବେଳେ କି ସେମାନଙ୍କ ସହ ଥିବା ଅନ୍ୟ ଜଣେ ସାଙ୍ଗ ସୁରକ୍ଷିତ ଭାବେ ବାହାରି ଆସି ଚିତ୍କାର କରିଥିଲେ।

ଖବର ପାଇ ନୀଳଗିରି ପୁଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶନିବାର ରାତି ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲେ ମଧ୍ୟ ଗଭୀର ଅନ୍ଧକାର ଓ ବିପଜ୍ଜନକ ପାଣି ଯୋଗୁଁ ଅଭିଯାନ ସ୍ଥଗିତ ରଖାଯାଇଥିଲା। ରବିବାର ସକାଳୁ ପୁନର୍ବାର ସ୍କୁବା ଡାଇଭର୍‌ଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଦୁଇ ଜଣଙ୍କ ମୃତଦେହ ଜବତ କରାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିତ୍ୟକ୍ତ ବିପଜ୍ଜନକ ଖାଦାନ ଚାରିପାଖରେ ଫେନ୍ସିଂ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।