ଭୁବନେଶ୍ୱର: ଭାରତରେ ହାଇ-ସ୍ପିଡ୍ ରେଳ ବା ବୁଲେଟ୍ ଟ୍ରେନ୍ ନେଟୱର୍କର ସମ୍ପ୍ରସାରଣକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ଓଡ଼ିଶାରେ ରେଳ ଯୋଗାଯୋଗର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ଆଧିକାରିକ ବୁଲେଟ୍ ଟ୍ରେନ୍ କରିଡର ଘୋଷଣା କରାଯାଇ ନାହିଁ, ତଥାପି ଆଗାମୀ ସମ୍ଭାବ୍ୟ ରୁଟ୍ ମାନପେକ୍ଷ ଅନୁସାରେ ଭୁବନେଶ୍ୱରରୁ ଦେଶର ବିଭିନ୍ନ ପ୍ରମୁଖ ସହରକୁ ଯାତ୍ରା ସମୟ ବହୁତ କମିଯିବ ବୋଲି ଆଶା କରାଯାଉଛି।

କେନ୍ଦ୍ର ସରକାର ଦେଶର ପ୍ରମୁଖ ଅର୍ଥନୈତିକ ହବ୍‌ଗୁଡ଼ିକୁ ଯୋଡ଼ିବା ପାଇଁ ମୁମ୍ବାଇ-ପୁଣେ, ହାଇଦ୍ରାବାଦ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ବେଙ୍ଗାଲୁରୁ ଭଳି ଅନେକ ନୂତନ କରିଡର ଉପରେ ବିଚାର କରୁଛନ୍ତି।

ଭୁବନେଶ୍ୱରରୁ ବିଭିନ୍ନ ସହରର ସମ୍ଭାବ୍ୟ ଯାତ୍ରା ସମୟ:

ଯଦି ଆଗାମୀ ଦିନରେ ଓଡ଼ିଶାକୁ ଏହି ହାଇ-ସ୍ପିଡ୍ ରେଳ ନେଟୱର୍କରେ ସାମିଲ କରାଯାଏ, ତେବେ ବୁଲେଟ୍ ଟ୍ରେନର ସ୍ପିଡ୍ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଏକ ଆକଳନ ଏହିପରି ରହିଛି:

  • ଭୁବନେଶ୍ୱରରୁ କୋଲକାତା: ମାତ୍ର ୧ ଘଣ୍ଟା ୩୫ ମିନିଟ୍
  • ଭୁବନେଶ୍ୱରରୁ ବିଶାଖାପାଟଣା: ପ୍ରାୟ ୧ ଘଣ୍ଟା ୩୫ ମିନିଟ୍
  • ଭୁବନେଶ୍ୱରରୁ ହାଇଦ୍ରାବାଦ: ପାଖାପାଖି ୩ ଘଣ୍ଟା
  • ଭୁବନେଶ୍ୱରରୁ ବେଙ୍ଗାଲୁରୁ: ୪ ରୁ ୪.୫ ଘଣ୍ଟା
  • ଭୁବନେଶ୍ୱରରୁ ସୁରଟ: ୫ ରୁ ୫.୫ ଘଣ୍ଟା
  • ଭୁବନେଶ୍ୱରରୁ ଦିଲ୍ଲୀ: ପ୍ରାୟ ୬ ଘଣ୍ଟା

ବିଶେଷଜ୍ଞଙ୍କ ମତରେ, ଏହି ହାଇ-ସ୍ପିଡ୍ କନେକ୍ଟିଭିଟି ଓଡ଼ିଶାର ଅର୍ଥନୀତିକୁ ଏକ ନୂଆ ଗତି ଦେବ। ଆଇଟି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମାନୁଫ୍ୟାକ୍ଚରିଂ କ୍ଷେତ୍ରରେ କ୍ଷିପ୍ର ଗତିରେ ଆଗକୁ ବଢ଼ୁଥିବା ଭୁବନେଶ୍ୱରକୁ ମେଟ୍ରୋ ସହରଗୁଡ଼ିକ ସହ ଯୋଡ଼ିବା ଦ୍ୱାରା ବ୍ୟବସାୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇବ।

ଏହା ବ୍ୟତୀତ ପୁରୀ, କୋଣାର୍କ, ଚିଲିକା ଏବଂ ଭୁବନେଶ୍ୱର ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକମାନେ ଅତି ସହଜରେ ଆସିପାରିବେ। ଫଳରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ବିକାଶ ହେବ। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ପାଇଁ କୌଣସି ଅଫିସିଆଲ୍ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଘୋଷଣା କରାଯାଇ ନାହିଁ। କିନ୍ତୁ ଭାରତୀୟ ରେଳବାଇର ଆଧୁନିକୀକରଣର ଦ୍ରୁତ ଅଗ୍ରଗତିକୁ ଦେଖି ଓଡ଼ିଶାବାସୀ ଏହି ନୂଆ ଯୁଗର ପରିବହନ ସେବାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି।