ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏହି ବୈଠକରେ ରାଜ୍ୟର ବିକାଶ ପାଇଁ ଶିଳ୍ପ, ପରିବହନ, ଡିଜିଟାଲ୍ ଗଭର୍ନାନ୍ସ ଏବଂ ଜନସେବା ଭଳି ବିଭିନ୍ନ କ୍ଷେତ୍ରର ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ପଶ୍ଚିମ ଓଡ଼ିଶାରେ ଟେକ୍ସଟାଇଲ୍ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ବଲାଙ୍ଗୀରରେ ଏକ ସୁତା ଉତ୍ପାଦନ କାରଖାନା ସ୍ଥାପନକୁ ମଞ୍ଜୁରି ମିଳିଛି। M/s Shree Ambica Cotspin Pvt. Ltd. ଦ୍ୱାରା ୧୨୪ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଏହାଦ୍ୱାରା ଅଞ୍ଚଳର ୩୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
ରାଜଧାନୀ ଓ କଟକ ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବା ପାଇଁ କାଠଜୋଡ଼ି ନଦୀ ଉପରେ ଏକ ନୂତନ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ କ୍ୟାବିନେଟ୍ ମୋହର ମାରିଛନ୍ତି। ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସେତୁ କାର୍ଯ୍ୟ ୩୬ ମାସ ମଧ୍ୟରେ ଶେଷ ହେବ।
ପରିବେଶ ସୁରକ୍ଷା ଓ ସୁସ୍ଥ ଶକ୍ତିକୁ ଗୁରୁତ୍ୱ ଦେଇ ରାଜ୍ୟରେ ସିଟି ଗ୍ୟାସ ବିତରଣ ନୀତିକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା PNG ଏବଂ CNG ଭିତ୍ତିଭୂମିର ବିସ୍ତାର ତ୍ୱରାନ୍ୱିତ ହେବ, ଯାହା ବେସରକାରୀ ବିନିଯୋଗ ଏବଂ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ।
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଲଭ କରିବା ପାଇଁ ସରକାର ଷ୍ଟାମ୍ପ ଶୁଳ୍କ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏବେ ସମସ୍ତଙ୍କ ପାଇଁ ଏକରୂପ ୫% ଷ୍ଟାମ୍ପ ଶୁଳ୍କ ଲାଗୁ ହେବ, ଯାହା ଗ୍ରାହକଙ୍କୁ ବଡ଼ ଧରଣର ଆର୍ଥିକ ସୁବିଧା ପ୍ରଦାନ କରିବ।
ଲୋକସେବାକୁ ଅଧିକ ପାରଦର୍ଶୀ କରିବା ପାଇଁ ‘ଅଟୋ ଆପିଲ୍’ ବ୍ୟବସ୍ଥାକୁ ଅନୁମୋଦନ କରାଯାଇଛି। ନିର୍ଦ୍ଧାରିତ ସମୟରେ ସେବା ନମିଳିଲେ ଏହା ସ୍ୱୟଂଚାଳିତ ଭାବେ ଆପିଲ୍ ହୋଇପାରିବ। ଏହା ସହ Odisha State Data Policy 2.0 କୁ ମଞ୍ଜୁରି ମିଳିଛି, ଯାହା ଡାଟା ସୁରକ୍ଷା ଓ ସଠିକ ନିଷ୍ପତ୍ତି ନେବାରେ ସହାୟକ ହେବ।
ଆଲାଇଡ୍ ଏବଂ ହେଲର୍ଥକେର୍ ପ୍ରଫେସନ୍ସ ପାଇଁ ନୂତନ ନିୟମ ଲାଗୁ ହେବାସହ ରାସ୍ତା ସୁରକ୍ଷାକୁ ମଜବୁତ କରିବା ପାଇଁ ଟ୍ରାଫିକ୍ ଓ ଇନଫୋର୍ସମେଣ୍ଟ କାଡର ପାଇଁ ନୂତନ ନିୟମାବଳୀ ପ୍ରଣୟନ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ସମସ୍ତ ପଦକ୍ଷେପ ଓଡ଼ିଶାର ଭିତ୍ତିଭୂମି ଓ ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।




