ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ Mohan Charan Majhiଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ସବୁଠାରୁ ବଡ଼ ନିଷ୍ପତ୍ତି ହେଲା ୧୯୭୪ରୁ ୨୦୨୫ ମଧ୍ୟରେ ପ୍ରଣୀତ ୩୫୮ଟି ଅପ୍ରୟୋଜନୀୟ ଓ ଅପ୍ରଚଳିତ ଅଧିନିୟମକୁ ବିଲୋପ କରିବା।

ରାଜ୍ୟ ଆଇନ ଆୟୋଗର ସୁପାରିସ ଅନୁଯାୟୀ ଆଇନ ବିଭାଗ ‘ଓଡ଼ିଶା ବିଲୋପ ବିଲ୍-୨୦୨୬’ ଆଣିଥିବାବେଳେ ଏହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ Anu Garg କହିଛନ୍ତି ଯେ, ଏହି ଅଧିନିୟମମାନଙ୍କ ମଧ୍ୟରୁ ଅଧିକାଂଶ ସଂଶୋଧନ ଆଇନ ଥିଲା ଏବଂ ସମ୍ପର୍କିତ ମୂଳ ଆଇନରେ ସମାବେଶ ହୋଇଯାଇଥିବାରୁ ଏଗୁଡ଼ିକୁ ଆଉ ଆଇନ ପୁସ୍ତକରେ ରଖିବାର ଆବଶ୍ୟକତା ନାହିଁ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହେବା ସହ ଆଇନ ବ୍ୟବସ୍ଥା ଆହୁରି ସରଳ ହେବ।

କ୍ୟାବିନେଟ୍‌ ଜିଲ୍ଲା ଓ ସିଭିଲ୍ କୋର୍ଟର ଗ୍ରୁପ୍-ଡି କର୍ମଚାରୀଙ୍କୁ ଜୁନିଅର କ୍ଲାର୍କ ପଦବୀକୁ ପଦୋନ୍ନତି ସୁଯୋଗ ଦେବା ପାଇଁ ନିୟମାବଳୀ ସଂଶୋଧନକୁ ମଧ୍ୟ ଅନୁମୋଦନ କରିଛି। ସେହିପରି ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟରେ କୋର୍ଟ ମ୍ୟାନେଜରଙ୍କ ସେବାକୁ ନିୟମିତ କରିବା ପାଇଁ ନୂତନ ନିୟମାବଳୀ ପ୍ରଣୟନ ନିଷ୍ପତ୍ତି ହୋଇଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବ ଅନୁଯାୟୀ, ‘ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’କୁ ରଦ୍ଦ କରିବା ପାଇଁ ନୂତନ ଅଧିସୂଚନାକୁ ମଧ୍ୟ ମଞ୍ଜୁରି ମିଳିଛି। ଏହା ଲାଗୁ ହେଲେ ରିଟେଲ୍ ଆଉଟଲେଟ୍‌ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଏନ୍‌ଓସି ଆଣିବା ଆବଶ୍ୟକ ହେବ ନାହିଁ। କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ବ୍ୟବସାୟିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଏହା ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରସ୍ତାବ ଅନୁଯାୟୀ, ପୁରୁଣା ‘ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ, ୧୯୮୨’କୁ ବଦଳାଇ ନୂତନ ‘ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ-୨୦୨୬’ ପ୍ରଣୟନକୁ ଅନୁମୋଦନ ମିଳିଛି। ନୂତନ ଆଇନରେ ସାମୁଦ୍ରିକ ସମ୍ପଦ ସୁରକ୍ଷା, ଉପକୂଳ ନିରାପତ୍ତା, ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ବେଆଇନ ମାଛଧରା ରୋକିବା ପାଇଁ ଆଧୁନିକ ବ୍ୟବସ୍ଥା ରହିଛି।

ନୂତନ ଆଇନ ଅନୁଯାୟୀ ମାଛଧରା ଡଙ୍ଗାରେ ଟ୍ରାନ୍ସପଣ୍ଡର, ଭିଏଚଏଫ୍ ରେଡିଓ ଓ ଭେସେଲ୍ ଟ୍ରାକିଂ ସିଷ୍ଟମ ବାଧ୍ୟତାମୂଳକ ହେବ। ମତ୍ସ୍ୟଜୀବୀଙ୍କ ପାଇଁ ବାୟୋମେଟ୍ରିକ୍‌ ଓ କ୍ୟୁଆର୍ କୋଡ୍‌ ଯୁକ୍ତ ପରିଚୟପତ୍ର ସହ ଉନ୍ନତ ବୀମା ସୁବିଧା ମଧ୍ୟ ରହିବ। ରାଜ୍ୟ ସରକାର ୨୦୩୬ ସୁଦ୍ଧା ସାମୁଦ୍ରିକ ଖାଦ୍ୟ ରପ୍ତାନିକୁ ୨୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛନ୍ତି।