ଭୁବନେଶ୍ୱର: କେନ୍ଦୁଝର, ସୁକିନ୍ଦା, କଟକ ଏବଂ ଭୁବନେଶ୍ୱର ଦେଇ ପୁରୀ-ରାଇରଙ୍ଗପୁର-ବାଦାମପାହାଡ଼ ଏକ୍ସପ୍ରେସ୍ ଚଳାଚଳକୁ କେନ୍ଦ୍ରୀୟ ଅନୁମୋଦନ ମିଳିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି। ରାଜ୍ୟବାସୀଙ୍କ ଏକ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସେ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ଏହି ନୂତନ ଟ୍ରେନ୍ ସେବା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ରେଳ ସଂଯୋଗୀକରଣକୁ ଆହୁରି ଅଧିକ ମଜବୁତ କରିବ। ଏହାଦ୍ୱାରା ଯାତ୍ରୀମାନେ ଅତ୍ୟନ୍ତ ସୁବିଧାରେ ଯାତାୟାତ କରିପାରିବେ ଏବଂ ଉକ୍ତ ଅଞ୍ଚଳଗୁଡ଼ିକରେ କ୍ଷେତ୍ରୀୟ ବିକାଶ ସହ ନୂତନ ସୁଯୋଗରୁ ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣଙ୍କ ସମେତ ଉପକୂଳ ଓ ଉତ୍ତର ଓଡ଼ିଶାକୁ ସଂଯୋଗ କରୁଥିବା ଏହି ରେଳ ପ୍ରକଳ୍ପ ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ ଏହି ସ୍ୱପ୍ନ ସାକାର ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ରାଜ୍ୟରେ ଆହୁରି ଅନେକ ନୂତନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।




