ଭୁବନେଶ୍ୱର: ହାଇଦ୍ରାବାଦ ଏବଂ କୋଲକାତା ପରେ ଏବେ ଗୁଜରାଟରୁ ପୁଞ୍ଜି ଆଣିବାକୁ ପ୍ରସ୍ତୁତ ଓଡ଼ିଶା। ରାଜ୍ୟକୁ ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଇ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ।
ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାଳରେ ୪ଟି ପ୍ରମୁଖ ସହର ପରିଦର୍ଶନ କରି ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିବେ। ଆଜି ଅହମ୍ମଦାବାଦରେ ଏକ ବିଶାଳ ନିବେଶକ ରୋଡ୍-ସୋ ଅନୁଷ୍ଠିତ ହେବ। ଏଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ଓ୍ୱାନ୍-ଟୁ-ଓ୍ୱାନ୍ (One-to-one) ମିଟିଂ କରିବେ।
ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଯୋଗ ପରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବେ। ଶେଷ ଦିନରେ ଭାଦୋଦରାରେ ନିବେଶକ ସମ୍ମିଳନୀ ଏବଂ ପରେ କେଭାଡିଆ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି।
କେଉଁ କ୍ଷେତ୍ର ଉପରେ ରହିବ ନଜର?
ଓଡ଼ିଶା ସରକାର ମୁଖ୍ୟତଃ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକରେ ପୁଞ୍ଜି ନିବେଶ ପାଇଁ ଗୁରୁତ୍ୱ ଦେଉଛନ୍ତି: ବସ୍ତ୍ର ଓ ପୋଷାକ ଶିଳ୍ପ (Textiles & Apparel)ରାସାୟନିକ ଓ ପେଟ୍ରୋକେମିକାଲ୍ସଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପଫାର୍ମାସ୍ୟୁଟିକାଲ୍ସ ଏବଂ ଚିକିତ୍ସା ଉପକରଣ।
ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଭିତ୍ତିଭୂମି ଓ ଦକ୍ଷ କର୍ମଚାରୀ ନିବେଶକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଦିଗରେ ଏହି ଗସ୍ତ ନୂଆ ବାଟ ଫିଟାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।




