ଭୁବନେଶ୍ୱର: ଆସନ୍ତା ସୋମବାର, ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଜନ ଅଭିଯୋଗ ଶୁଣାଣି’ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ସରକାରୀ କାର୍ଯ୍ୟସୂଚୀ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ୩୧ ଅଗଷ୍ଟ ୨୦୨୬ରେ ନିର୍ଦ୍ଧାରିତ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ଦିନ କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ।
ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପରବର୍ତ୍ତୀ ‘ଜନ ଅଭିଯୋଗ ଶୁଣାଣି’ କେଉଁ ଦିନ ହେବ, ସେ ନେଇ ସମ୍ବାଦପତ୍ର, ଟିଭି ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ସାଧାରଣ ଜନତାଙ୍କୁ ପରବର୍ତ୍ତୀ ସମୟରେ ଅବଗତ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନିଜ ନିଜର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିବା ପାଇଁ ଆଶା ରଖିଥିବା ଆବେଦନକାରୀମାନଙ୍କୁ ପରବର୍ତ୍ତୀ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଜନସାଧାରଣ ନୂଆ ତାରିଖ ସୂଚନା ପାଇବା ପରେ ହିଁ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ।




