ଭୁବନେଶ୍ୱର: ଓଡ଼ିଶାକୁ ଏକ ଆକର୍ଷଣୀୟ ନିବେଶ କେନ୍ଦ୍ର ଭାବେ ବିଶ୍ୱସ୍ତରରେ ପ୍ରଚାର କରିବା ଲକ୍ଷ୍ୟରେ ୟୁଏଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଏହି ଗସ୍ତରେ ସେ ଅବୁଧାବି ଓ ଦୁବାଇରେ ବିଭିନ୍ନ ଶିଳ୍ପପତି, ବିଶ୍ୱସ୍ତରୀୟ ନିବେଶକ, ସରକାରୀ ପ୍ରତିନିଧି ଓ ନିବେଶ ସଂସ୍ଥା ସହ ଆଲୋଚନା କରିବେ। ଗସ୍ତ ସମୟରେ ଓଡ଼ିଆ ପ୍ରବାସୀ ସମୁଦାୟ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

ଏହା ମୋହନ ମାଝୀଙ୍କ ଦ୍ୱିତୀୟ ଅନ୍ତର୍ଜାତୀୟ ନିବେଶ ଅଭିଯାନ। ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ୟୁଏଇ ସମେତ ବିଶ୍ୱର ବଡ଼ ନିବେଶକଙ୍କୁ ଓଡ଼ିଶାର ଶିଳ୍ପ ସମ୍ଭାବନା, ଭିତ୍ତିଭୂମି, ନୀତିଗତ ସହାୟତା ଓ ନୂଆ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇବା।

ଅବୁଧାବିରେ IHC ସହ ଆଲୋଚନା

ମୁଖ୍ୟମନ୍ତ୍ରୀ ପ୍ରଥମେ ଅବୁଧାବି ଯିବେ। ସେଠାରେ International Holding Company (IHC) ସମେତ ବିଭିନ୍ନ ବିଶ୍ୱସ୍ତରୀୟ କମ୍ପାନି ଓ ବ୍ୟବସାୟିକ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। IHC ସହ ରାଉଣ୍ଡଟେବୁଲ୍‌ ବୈଠକ ଏବଂ ବିଭିନ୍ନ Memoranda of Cooperation (MoCs) ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି।

ଏହାସହ ୟୁଏଇର ନିବେଶ ମନ୍ତ୍ରୀ ଏବଂ ବିଭିନ୍ନ ସାର୍ବଭୌମ ନିବେଶ ପାଣ୍ଠିର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

ଖଣିଜରୁ ଡାଟା ସେଣ୍ଟର ପର୍ଯ୍ୟନ୍ତ ନିବେଶ ସୁଯୋଗ

ୟୁଏଇ ରୋଡ୍‌ଶୋ’ରେ ଓଡ଼ିଶାର ପାଖାପାଖି ୩୦ଟି ନିବେଶଯୋଗ୍ୟ ପ୍ରକଳ୍ପ ଉପସ୍ଥାପନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। ଖଣି ଓ ଧାତୁ, ଗ୍ରୀନ୍‌ ଷ୍ଟିଲ୍‌, ଗ୍ରୀନ୍‌ ଆଲୁମିନିୟମ୍‌, ପେଟ୍ରୋକେମିକାଲ୍ସ, ବନ୍ଦରଭିତ୍ତିକ ଲଜିଷ୍ଟିକ୍ସ, ଡାଟା ସେଣ୍ଟର ଓ ଡିଜିଟାଲ୍‌ ଭିତ୍ତିଭୂମି ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଗୁରୁତ୍ୱ ରହିବ।

ପ୍ରସ୍ତାବିତ ନିବେଶ ପ୍ରକଳ୍ପ ମଧ୍ୟରେ ଜାହାଜ ନିର୍ମାଣ ଓ ମରାମତି, ରେୟାର୍‌ ଆର୍ଥ ପାର୍କ, କ୍ରିଟିକାଲ୍‌ ମିନେରାଲ୍‌ ପାର୍କ, କେମିକାଲ୍‌ ପାର୍କ ଓ ବନ୍ଦର ଭିତ୍ତିଭୂମି ଭଳି ପ୍ରକଳ୍ପ ରହିଛି।

ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

ସେପ୍ଟେମ୍ବର ୧୧ରେ ଦୁବାଇରେ Odisha Investors’ Meet ଅନୁଷ୍ଠିତ ହେବ। ଏଥିରେ ଉଦ୍ୟୋଗୀ, ନିବେଶକ ଓ ଶିଳ୍ପପତିଙ୍କୁ ଓଡ଼ିଶାରେ ଥିବା ବିଭିନ୍ନ ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ଅବଗତ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁଏଇରେ ଥିବା ଓଡ଼ିଆ ପ୍ରବାସୀ ସମୁଦାୟ ସହ ମଧ୍ୟ ଆଲୋଚନା କରିବେ। ରାଜ୍ୟର ବିକାଶ ଯାତ୍ରା ଓ ନୂଆ ନିବେଶ ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ।

ୟୁଏଇ ସହ ଶିଳ୍ପ ଓ ବାଣିଜ୍ୟିକ ସମ୍ପର୍କ ମଜବୁତ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ମାଧ୍ୟମରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ନିବେଶ ଓ ଶିଳ୍ପ ସହଯୋଗକୁ ଆହୁରି ମଜବୁତ କରିବା ସରକାରଙ୍କ ଲକ୍ଷ୍ୟ। ବିଶେଷକରି ୟୁଏଇର ବଡ଼ ସାର୍ବଭୌମ ନିବେଶ ପାଣ୍ଠି ଓ ଶିଳ୍ପ ସଂସ୍ଥାଗୁଡ଼ିକର ପୁଞ୍ଜିକୁ ଓଡ଼ିଶାର ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପ ସହ ଯୋଡ଼ିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଗସ୍ତରେ ସାମିଲ ହେବେ। ସେପ୍ଟେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।