ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୯ତମ ପର୍ଯ୍ୟାୟ ସୋମବାର ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ୧୨ ଜଣ ରୋଗୀଙ୍କ ପାଇଁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ ଜରିଆରେ ₹୬.୧୫ ଲକ୍ଷର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି।

ମୁଖ୍ୟମନ୍ତ୍ରୀ ସକାଳୁ ଶୁଣାଣି କେନ୍ଦ୍ରରେ ପହଞ୍ଚି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ୬ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଭାଗୀ ହୋଇଥିଲେ। ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ୭୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିଲା।

ଶୁଣାଣି ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ସରକାର ଆରମ୍ଭରୁ ସାଧାରଣ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖି ଆସୁଛି ଏବଂ ଲୋକଙ୍କ ସମସ୍ୟାର ସମାଧାନକୁ ସର୍ବାଧିକ ପ୍ରାଥମିକତା ଦେଉଛି। ସେ କହିଥିଲେ ଯେ, ପ୍ରତ୍ୟେକ ଅଭିଯୋଗର ଅଗ୍ରଗତି ଉପରେ ନିୟମିତ ନଜର ରଖାଯାଉଥିବାରୁ ସମାଧାନର ହାର କ୍ରମାଗତ ଭାବେ ବଢ଼ୁଛି ଏବଂ ଏହି ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ମଧ୍ୟ ସୁଦୃଢ଼ ହେଉଛି।

ସରକାରଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଆୟୋଜିତ ୧୮ଟି ଜନଅଭିଯୋଗ ଶୁଣାଣିରେ ମୋଟ ୧୪,୯୪୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୪,୩୩୧ଟି ଅଭିଯୋଗ, ଅର୍ଥାତ୍ ୯୬ ପ୍ରତିଶତ, ସଫଳତାର ସହ ସମାଧାନ କରାଯାଇଛି।

ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ନେତୃତ୍ୱରେ ନିୟମିତ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ବ୍ଲକ୍ ଓ ତହସିଲ୍ ସ୍ତରରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିଛି। ଜୁନ୍ ମାସ ଶେଷ ସୁଦ୍ଧା ଜିଲ୍ଲାସ୍ତରରେ ୨,୫୯,୨୧୩ଟି ଅଭିଯୋଗର ଶୁଣାଣି କରାଯାଇଥିବାବେଳେ ୮୯ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ସରକାର ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ଶୁଣାଣିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହା ସହ ଗୃହ ବିଭାଗ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ବିଭିନ୍ନ ବିଭାଗର ବରିଷ୍ଠ ସଚିବସ୍ତରୀୟ ଅଧିକାରୀମାନେ ମଧ୍ୟ ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ।