ଭୁବନେଶ୍ୱର: ପୁରୀକୁ ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ଆହୁରି ବିକଶିତ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏନେଇ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର, ମନ୍ଦିରର ବିକାଶ, ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ପ୍ରଶସ୍ତୀକରଣକୁ ଏହି ବୈଠକରେ ପ୍ରାଥମିକତା ଦିଆଯାଇଛି।
ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣକୁ ଗୁରୁତ୍ୱ
ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏହା ସହ ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ, ଶ୍ରୀଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ ଓ ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ରମୋଦ ଉଦ୍ୟାନ ନିର୍ମାଣ ଉପରେ ଆଲୋଚନା ହୋଇଛି।
ଗୁଣ୍ଡିଚା ମନ୍ଦିରରେ ନୂଆ ରୋଷଶାଳା
ଶ୍ରୀଗୁଣ୍ଡିଚା ମନ୍ଦିରର ସାମଗ୍ରିକ ବିକାଶ ସହ ମହାପ୍ରସାଦ ପ୍ରସ୍ତୁତି ପାଇଁ ଏକ ନୂତନ ରୋଷଶାଳା ନିର୍ମାଣ କରାଯିବ। ଏଥିସହ ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିର, କାକଟପୁରର ମା’ ମଙ୍ଗଳା ମନ୍ଦିର ଓ ବିଭିନ୍ନ ପ୍ରସିଦ୍ଧ ମଠର ସୌନ୍ଦର୍ଯ୍ୟକରଣ ଏବଂ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ।
ଐତିହାସିକ ଅଠରନଳା ନିକଟରେ ଏକ ଆକର୍ଷଣୀୟ ଐତିହ୍ୟ ସେତୁ ନିର୍ମାଣ, ଅନ୍ନପୂର୍ଣ୍ଣା ଥିଏଟରର ପୁନର୍ବିକାଶ ଏବଂ ସତ୍ୟବାଦୀ ବନବିଦ୍ୟାଳୟ ଓ ବକୁଳବନର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ବେଳାଭୂମି ଓ ସ୍ୱର୍ଗଦ୍ୱାରର ହେବ ଉନ୍ନତିକରଣ
ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତିର ସୁପରିଚାଳନା, ମହାପ୍ରଭୁଙ୍କ ‘ସାଗର ବିଜେ’ ନୀତିର ସୁବ୍ୟବସ୍ଥା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ନେଇ ଆଲୋଚନା ହୋଇଛି। ଏହା ସହ ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଓ କୋଣାର୍କ ମନ୍ଦିର ସଂଲଗ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଛି।
ପୁରୀ-ଭୁବନେଶ୍ୱର ରାସ୍ତା ପ୍ରଶସ୍ତୀକରଣ
ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ ଏବଂ ପୁରୀ-ବ୍ରହ୍ମଗିରି ରାସ୍ତାର ପ୍ରଶସ୍ତୀକରଣ ନେଇ ଆଲୋଚନା ହୋଇଛି। ଏଥିସହ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଛି।
ବଡ଼ଦାଣ୍ଡରୁ ହଟାଯାଇଥିବା ଉଠାଦୋକାନୀଙ୍କୁ ଶ୍ରୀସେତୁ ନିକଟରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରକଳ୍ପ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ମଧ୍ୟ ବୈଠକରେ ଜୋର୍ ଦିଆଯାଇଛି।




