ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ପ୍ରକୃତିର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।
ଚଳିତ ବର୍ଷର ଜାତୀୟ ପ୍ରସଙ୍ଗ ‘ପ୍ରକୃତି ଦ୍ୱାରା ଅନୁପ୍ରାଣିତ। ଜଳବାୟୁ ପାଇଁ। ଆମ ଭବିଷ୍ୟତ ପାଇଁ’ (Inspired By Nature. For Climate. For Our Future) କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରିବେଶ ସୁରକ୍ଷା କେବଳ ସଂରକ୍ଷଣ ମଧ୍ୟରେ ସୀମିତ ନୁହେଁ; ଏହା ଆମର ଅର୍ଥନୈତିକ ପ୍ରଗତି, ସାମାଜିକ ସୁରକ୍ଷା ଓ ଆଗାମୀ ପିଢ଼ିର କଲ୍ୟାଣ ସହ ଜଡ଼ିତ। ବିଶେଷ କରି କୃଷି, ଜଳ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସାମ୍ନା କରିବା ପାଇଁ ପ୍ରକୃତିର ସୁରକ୍ଷା ଜରୁରୀ।
ଏହି ଅବସରରେ #NowForClimate ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ସେ ଜନସାଧାରଣଙ୍କୁ ଜଳବାୟୁ-ଅନୁକୂଳ ଜୀବନଶୈଳୀ ଆପଣାଇବା, ସବୁଜ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଏବଂ କାର୍ବନ ଫୁଟ୍ପ୍ରିଣ୍ଟ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ସରକାର ସବୁଜ ବିକାଶ ଓ ଅକ୍ଷୟ ଶକ୍ତି ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି।
ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆସନ୍ତୁ ପ୍ରକୃତି ଏବଂ ଜୈବ ବିବିଧତାର ସୁରକ୍ଷାକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା। ସମସ୍ତଙ୍କ ସହଭାଗିତାରେ ହିଁ ଏକ ପ୍ରଦୂଷଣ ମୁକ୍ତ, ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ହୋଇପାରିବ।”




