ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରୀ ପରିବହନ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ। ମୋଟର ଯାନ ଆଇନ, ୧୯୮୮ ଏବଂ ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡଲାଇନ୍ସ, ୨୦୨୩ ର ଉଲ୍ଲଂଘନ ଅଭିଯୋଗରେ ସମଗ୍ର ରାଜ୍ୟରେ ଉବର ଏବଂ ରାପିଡୋ ଦ୍ୱାରା ପରିଚାଳିତ ବାଇକ୍ ଟ୍ୟାକ୍ସି ସେବା ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ କଟକଣା ଲଗାଯାଇଛି।

ରାଜ୍ୟ ପରିବହନ ପ୍ରାଧିକରଣ (STA) ର ଅଧ୍ୟକ୍ଷ ତଥା ପରିବହନ କମିଶନରଙ୍କୁ ଲେଖାଯାଇଥିବା ଏକ ପତ୍ରରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଘରୋଇ ତଥା ଅଣ-ପରିବହନ ଦୁଇଚକିଆ ଯାନଗୁଡ଼ିକୁ ବେଆଇନ ଭାବେ ଯାତ୍ରୀ ପରିବହନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଉବର ଏବଂ ରାପିଡୋ ମୋବାଇଲ ଆପ୍ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଉଛି, ଯାହା ପ୍ରଚଳିତ ପରିବହନ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ତେଣୁ ତୁରନ୍ତ ଏହି ବାଇକ୍ ଟ୍ୟାକ୍ସି ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କଟକ ଆରଟିଓ, ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆରଟିଓ ପକ୍ଷରୁ ଦାଖଲ କରାଯାଇଥିବା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ରିପୋର୍ଟ ଆଧାରରେ ସିଆଇଡି-କ୍ରାଇମବ୍ରାଞ୍ଚ ଏହି ପଦକ୍ଷେପ ନେଇଛି। ଏନେଇ ପରିବହନ କମିଶନରଙ୍କ ସମେତ ‘ଉବର ଇଣ୍ଡିଆ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍’ ଏବଂ ‘ରୋପେନ୍ ଟ୍ରାନ୍ସପୋର୍ଟେସନ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍’ (ରାପିଡୋ) ର ନୋଡାଲ ଅଫିସରମାନଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

ଉଭୟ ପ୍ଲାଟଫର୍ମରୁ ଅନଧିକୃତ ଅଣ-ପରିବହନ ଦୁଇଚକିଆ ଯାନର କାର୍ଯ୍ୟକାରିତାକୁ ତୁରନ୍ତ ନିଷ୍କ୍ରିୟ କରିବାକୁ କ୍ରାଇମବ୍ରାଞ୍ଚ ପତ୍ରରେ ଉଲ୍ଲେଖ କରିଛି। ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଏହି ବେଆଇନ ବାଇକ୍ ଟ୍ୟାକ୍ସି ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଏଗ୍ରିଗେଟର କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ ନକଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ତେବେ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି କଟକଣା କେବଳ ଦୁଇଚକିଆ ବାଇକ୍ ଟ୍ୟାକ୍ସି ସେବା ପାଇଁ ଲାଗୁ କରାଯାଇଛି। ବର୍ତ୍ତମାନର ନିର୍ଦ୍ଦେଶରେ ରାପିଡୋର ଅନ୍ୟାନ୍ୟ ସେବା ଅନ୍ତର୍ଭୁକ୍ତ ନଥିବା ବେଳେ, ଓଡ଼ିଶାରେ ଉବରର କାର ଏବଂ ଅଟୋ ସେବା ପୂର୍ବଭଳି ଜାରି ରହିବ।