ବାରଙ୍ଗ: କଟକ ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀପଠାରୁ ଗୁରୁବାର ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧପୋତିତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଏଠାରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି।ବ୍ରାହ୍ମଣୀ ଗାଁର କିଛି ସ୍ଥାନୀୟ ବାସିନ୍ଦା ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

ନଦୀପଠାରେ କିଛି କୁକୁର ବାଲି ଖୋଳି କିଛି ସନ୍ଦେହଜନକ ଜିନିଷ ଖାଉଥିବା ସେମାନେ ଦେଖିବାକୁ ପାଇଥିଲେ। ନିକଟକୁ ଯାଇ ଦେଖିବା ପରେ ତାହା ଏକ ମଣିଷର ଅର୍ଦ୍ଧପୋତିତ ଶବ ବୋଲି ଜଣାପଡ଼ିଥିଲା। ଏହାପରେ ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ।ଖବର ପାଇ ବାରଙ୍ଗ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ଆଖପାଖ ଅଞ୍ଚଳରେ କେହି ନିଖୋଜ ଅଛନ୍ତି କି ନାହିଁ ସେ ନେଇ ଖୋଳତାଡ଼ ଜାରି ରଖିଛି।