ଭୁବନେଶ୍ୱର: ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଛାତ୍ରୀମାନଙ୍କୁ ଆତ୍ମନିର୍ଭର, ସଶକ୍ତ ଏବଂ ପ୍ରେରଣାଦାୟୀ କରିବା ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ (DHE) ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ‘ଶକ୍ତିଶ୍ରୀ’ (Shaktishree) ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଷ୍ଠିତ ମହିଳା ପେଶାଦାରମାନଙ୍କୁ ‘ଶକ୍ତି ଅପା’ ଭାବେ ମନୋନୀତ କରିବା ପାଇଁ ଜିଲ୍ଲା ସ୍ତରୀୟ ନୋଡାଲ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତ୍ୟେକ ଜିଲ୍ଲାରୁ ୫ ଜଣ ମହିଳା ହେବେ ମନୋନୀତ
ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ୫ ଜଣ ବିଶିଷ୍ଟ ଓ ସଫଳ ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ଚୟନ କରାଯିବ। ସେମାନେ ଛାତ୍ରୀମାନଙ୍କ ପାଇଁ ରୋଲ୍ ମଡେଲ୍, ମାର୍ଗଦର୍ଶକ ଏବଂ ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରିବେ। ଏହି ‘ଶକ୍ତି ଅପା’ମାନେ ପର୍ଯ୍ୟାୟକ୍ରମେ କଲେଜଗୁଡ଼ିକୁ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା କରିବେ। ସେମାନେ ଆତ୍ମସୁରକ୍ଷା, ମାନସିକ ସୁସ୍ଥତା, କ୍ୟାରିୟର ଏବଂ ନାରୀ ସଶକ୍ତୀକରଣ ସମ୍ପର୍କରେ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବେ।
ଏହି ନିର୍ଦ୍ଦେଶନାମା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର ଏବଂ ରାୟଗଡ଼ା ଜିଲ୍ଲାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଲାଗୁ ହେବ।
ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ, ନିଜ ଜିଲ୍ଲାର ସଫଳ ମହିଳାମାନଙ୍କୁ ସମ୍ମୁଖରେ ଦେଖିବା ଦ୍ୱାରା ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଶିକ୍ଷା ସହିତ ସଠିକ୍ ମାର୍ଗଦର୍ଶନର ସମନ୍ୱୟ ଘଟାଇ ‘ଶକ୍ତିଶ୍ରୀ’ ଯୋଜନା ଓଡ଼ିଶାର ଯୁବତୀମାନଙ୍କୁ ନୂତନ ଦିଗ ଦେଖାଇବାରେ ସହାୟକ ହେବ।




