ଭୁବନେଶ୍ୱର: ୧୯୯୯ ମସିହାର ମହାବାତ୍ୟାର ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ‘ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ସଜବାଜ ଓ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ (X) ରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି ଯେ, ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ଦିବସରେ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ସମ୍ପ୍ରଦାୟର ସହନଶୀଳତା ବୃଦ୍ଧି କରିବା ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବଦ୍ଧପରିକର। ସଠିକ୍ ପୂର୍ବପ୍ରସ୍ତୁତି, ଆଗୁଆ ସୂଚନା ପ୍ରଣାଳୀ ଏବଂ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଏକ ସୁରକ୍ଷିତ ଓ ବିପର୍ଯ୍ୟୟ ସହନଶୀଳ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ ଜାରି ରହିଛି।
ଅନ୍ୟପକ୍ଷରେ, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶାର ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ମନେ ପକାଇଛନ୍ତି। ସେ ଲେଖିଛନ୍ତି, ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ୍’ ନୀତିକୁ ଆଧାର କରି ଓଡ଼ିଶା ସାହସର ସହ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସିଛି। ପ୍ରସ୍ତୁତି, ସହନଶୀଳତା ଏବଂ ଜନସାଧାରଣଙ୍କ ଭାଗୀଦାରୀ ଆଧାରରେ ଗଢ଼ିଉଠିଥିବା ‘ଜିରୋ-କାଜୁଆଲଟି’ (ଶୂନ୍ୟ ଜୀବନହାନି) ମୋଡେଲ୍ ସାରା ବିଶ୍ୱରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ଏହାସହ ସେ ସାବଧାନ କରାଇ ଦେଇଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଏହି ନେତୃତ୍ୱ ଯଦି କ୍ଷୁଣ୍ଣ ହୁଏ, ତେବେ ତାହା ଜନସାଧାରଣଙ୍କ ସୁରକ୍ଷା ଏବଂ ଅର୍ଥନୈତିକ ପ୍ରଗତି ପ୍ରତି ବଡ଼ ବିପଦ ସୃଷ୍ଟି କରିବ।
ସୂଚନାଯୋଗ୍ୟ ଯେ, ୧୯୯୯ ମହାବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିଚାରଣ ଏବଂ ସୁରକ୍ଷା ସଂକଳ୍ପକୁ ଦୋହରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ବର୍ତ୍ତମାନ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏହି ପ୍ରସ୍ତୁତିର ଆବଶ୍ୟକତା ପୁଣି ଥରେ ଅନୁଭୂତ ହୋଇଛି।




