ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁବାର ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ହୋଇଥିବା ବୈଠକରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଜମି ସମସ୍ୟା, ଅନୁମୋଦନରେ ବିଳମ୍ବ ଓ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି।

ପାନୀୟ ଜଳ ପ୍ରକଳ୍ପ ଉପରେ ନଜର

ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଖୋର୍ଦ୍ଧା, ସମ୍ବଲପୁର ଓ କଟକ ଜିଲ୍ଲାର ୫ଟି ପ୍ରମୁଖ ପ୍ରକଳ୍ପରେ ଜମି ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି।

ଛୋଟ ସହରାଞ୍ଚଳ ସଂସ୍ଥାଗୁଡ଼ିକ ପାଇଁ ବିକଳ୍ପ ଅର୍ଥ ସଂଗ୍ରହ ବ୍ୟବସ୍ଥା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆବର୍ଜନା ପରିଚାଳନା ନିୟମ ପାଳନ ମଧ୍ୟ ସମୀକ୍ଷା ହୋଇଛି।

ହସ୍ପିଟାଲ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡିକାଲ୍‌ ବର୍ଜ୍ୟ ପରିଚାଳନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜମି, ଆୟୁଷ ମେଡିକାଲ୍‌ କଲେଜ, ‘ଆମ ହସ୍ପିଟାଲ’ ଯୋଜନା ଓ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା।

ଶ୍ରମ ଓ ESI ବିଭାଗର ୧୦୦ ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା ମଧ୍ୟ ସମୀକ୍ଷା କରାଯାଇଥିଲା। ରାଜ୍ୟରେ ୧୧ଟି ନୂଆ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ଜଣାପଡ଼ିଛି।

ଶିକ୍ଷା, କୃଷି ଓ MSME ଉପରେ ବି ସମୀକ୍ଷା

ବୈଠକରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ, ଛାତ୍ରଛାତ୍ରୀଙ୍କ APAAR ID, ଅଗ୍ରିଷ୍ଟାକ୍‌ରେ ଚାଷୀ ପଞ୍ଜୀକରଣ ଓ ଖରିଫ୍‌-୨୦୨୬ ଡିଜିଟାଲ୍‌ ଫସଲ ସର୍ଭେ ନେଇ ମଧ୍ୟ ଅଗ୍ରଗତି ସମୀକ୍ଷା କରାଯାଇଥିଲା।

MSME ବିଭାଗର ୩୦ଟି ଜିଲ୍ଲାରେ ୩୦ଟି MSME ପାର୍କ ପ୍ରତିଷ୍ଠା ଯୋଜନା, ଷ୍ଟାର୍ଟଅପ୍‌ ଓ ଋଣ ସୁବିଧା ନେଇ ମଧ୍ୟ ଆଲୋଚନା ହୋଇଛି।

ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜମି, ଅନୁମୋଦନ, ନିର୍ମାଣ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ସମସ୍ୟା ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବାକୁ କହିଛନ୍ତି। ଅନୁମୋଦିତ ପ୍ରକଳ୍ପର ସୁଫଳ ଯେପରି ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚେ, ସେଥିପାଇଁ ନିୟମିତ ଜିଲ୍ଲାସ୍ତରୀୟ ମନିଟରିଂ ଉପରେ ମଧ୍ୟ ଜୋର ଦିଆଯାଇଛି।