ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାର ସ୍ୱାଭିମାନ, ସାମର୍ଥ୍ୟ ଏବଂ ପ୍ରଶାସନିକ ଦକ୍ଷତା ଆଜି ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି। ଜୁନ୍‌ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା BRICS ରାଷ୍ଟ୍ରମାନଙ୍କ ‘ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ’ର ଦ୍ୱିତୀୟ ବୈଷୟିକ ବୈଠକ ଓଡ଼ିଶାରେ ଆୟୋଜିତ ହେବା ରାଜ୍ୟ ପାଇଁ ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଆଧୁନିକ ପ୍ରସ୍ତୁତି ଏବଂ ସମନ୍ୱିତ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ଆଜି ସାରା ବିଶ୍ୱ ପାଇଁ ଏକ ରୋଲ୍‌ ମଡେଲ୍‌ରେ ପରିଣତ ହୋଇଛି। ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ନିଜର ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମଡେଲ୍‌, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାୟୀ ଭିତ୍ତିଭୂମିକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବ।

ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ଆଲୋଚନା ଆଗାମୀ ଦିନରେ ବିଶ୍ୱସ୍ତରରେ ବିପର୍ଯ୍ୟୟ ସହନଶୀଳତା, ସମନ୍ୱୟ ଏବଂ ସହଯୋଗକୁ ଅଧିକ ସୁଦୃଢ଼ କରିବ। ଏହା ସହ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ପୂରଣ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ସେ କହିଛନ୍ତି।

ଅତିଥି ଦେବୋ ଭବ’ ପରମ୍ପରାକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ BRICS ଦେଶମାନଙ୍କ ପ୍ରତିନିଧିଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀକୁ ସ୍ୱାଗତ ଜଣାଇଛନ୍ତି।

ସୌର ଶକ୍ତି କ୍ଷେତ୍ରରେ ଜାତୀୟ ସ୍ୱୀକୃତି

ଓଡ଼ିଶାର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୌର ଶକ୍ତିର ବ୍ୟବହାର ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଓଡ଼ିଶା ଏବେ ଦେଶରେ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି। ମେ’ ୨୦୨୬ରେ ଆୟୋଜିତ ‘Month of Solar’ ଅଭିଯାନରେ ରାଜ୍ୟର ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ସମ୍ମାନ ମିଳିଛି।

‘PM Surya Ghar Excellence Awards’ ପାଇଁ ଚୟନିତ ହୋଇଥିବା ଓଡ଼ିଶା ସର୍ବାଧିକ ଗ୍ରାହକ ଆବେଦନ, ସର୍ବାଧିକ ସୌର ସ୍ଥାପନ ଏବଂ ସର୍ବାଧିକ DISCOM ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଶ୍ରେଣୀର ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହା ସହ ‘Maximum Vendor Registrations’ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ଅଧିକାର କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଯୋଜନା, ବିଭାଗୀୟ ସମନ୍ୱୟ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କ ସାମୂହିକ ପ୍ରୟାସର ଫଳ। ନବୀକରଣ ଶକ୍ତି କ୍ଷେତ୍ରରେ ଓଡ଼ିଶାର ଏହି ଅଗ୍ରଗତି ଆଗାମୀ ଦିନରେ ଏକ ଆତ୍ମନିର୍ଭରଶୀଳ ଓ ପରିବେଶ ଅନୁକୂଳ ରାଜ୍ୟ ଗଠନରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।