ଭୁବନେଶ୍ୱର: ରାଜ୍ୟରେ ବିଶେଷକରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରାଜ୍ୟ ସରକାର ସଜାଗ ହୋଇଛନ୍ତି। ପରିସ୍ଥିତିର ନିରନ୍ତର ସମୀକ୍ଷା ଓ ପରିଚାଳନା ପାଇଁ ତିନିଜଣ ବରିଷ୍ଠ IAS ଅଧିକାରୀଙ୍କୁ ସ୍ୱତନ୍ତ୍ର ଜିଲ୍ଲା ଦାୟିତ୍ୱ ଦିଆଯାଇଥିବାବେଳେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି।
ଭଦ୍ରକ ଜିଲ୍ଲା ପାଇଁ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ପାଇଁ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ପାଇଁ ପି. ଅନ୍ୱେଷା ରେଡ୍ଡୀଙ୍କୁ ପରିସ୍ଥିତି ଉପରେ ସିଧାସଳଖ ନଜର ରଖିବାର ଦାୟିତ୍ୱ ଦିଆଯାଇଛି।
ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା
ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବନ୍ୟାସ୍ଥିତିର ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଜଣାପଡ଼ିଛି ଯେ, ଆନନ୍ଦପୁର ଓ ଆଖୁଆପଦା ନିକଟରେ ବୈତରଣୀ ଏବଂ ଜଳକା ନଦୀର ଜଳସ୍ତର ବିପଦ ସୀମା ଉପରେ ପ୍ରବାହିତ ହେଉଛି। ସେହିପରି ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ କିଛି ସ୍ଥାନରେ ଚିନ୍ତାଜନକ ରହିଛି। ଆସନ୍ତା ୧୨ ଘଣ୍ଟାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ରାତିସାରା SRC କାର୍ଯ୍ୟାଳୟ ଖୋଲା ରଖି ନିରନ୍ତର ନଜରଦାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଣ, NDRF-ODRAF ମୁତୟନ
ନଦୀର ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ NDRF ଏବଂ ODRAF ଟିମ୍ ମୁତୟନ ରହିଥିବାବେଳେ ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କୁ ସତର୍କ ରହିବାକୁ କୁହାଯାଇଛି।
ପୁଲିସ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଯାଇଥିବା ସହ ଆଶ୍ରୟସ୍ଥଳୀରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ ମଧ୍ୟ ନିୟୋଜିତ ହୋଇଛନ୍ତି। ବନ୍ୟା ଆଶ୍ରୟକେନ୍ଦ୍ରଗୁଡ଼ିକରେ ରନ୍ଧାଖାଦ୍ୟ, ପିଇବା ପାଣି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି। ସ୍ଥାନାନ୍ତରିତ ଲୋକଙ୍କ ଘର ଓ ସମ୍ପତ୍ତିର ସୁରକ୍ଷା ପାଇଁ ପୁଲିସକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ସ୍ୱାସ୍ଥ୍ୟ ଓ ପଶୁସମ୍ପଦ ବିଭାଗ ସଜାଗ
ସ୍ୱାସ୍ଥ୍ୟ, ପଶୁସମ୍ପଦ ଓ ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗକୁ ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ଗୋଖାଦ୍ୟ ମହଜୁଦ ରଖାଯାଇଥିବାବେଳେ ସର୍ପାଘାତ ଘଟଣାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଆଣ୍ଟି-ସ୍ନେକ୍ ଭେନମ୍ ଓ ଆବଶ୍ୟକ ଔଷଧ ସଂରକ୍ଷିତ ରଖାଯାଇଛି।
ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଓ ଚାଷଜମି ପାଇଁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ୨୪×୭ କାର୍ଯ୍ୟ କରୁଥିବାବେଳେ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସହ ନିରନ୍ତର ସମନ୍ୱୟ ରଖାଯାଉଛି।
ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




