ଭୁବନେଶ୍ୱର: ଓଡ଼ିଶାର ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଭୁବନେଶ୍ୱରର ରାଜୀବ ଭବନସ୍ଥିତ ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ ସେଣ୍ଟରରେ ଅନୁଷ୍ଠିତ ବୈଠକରେ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗ ଦେଇଥିଲେ। ବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ କରି ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଦୀର୍ଘ ସମୟ ଧରି ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲା କିଛି ନା କିଛି ଭାବେ ପ୍ରଭାବିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ପେଶାଲ୍ ରିଲିଫ୍ କମିସନରଙ୍କ ପକ୍ଷରୁ ଏଯାଏଁ ବନ୍ୟା ପ୍ରଭାବିତଙ୍କୁ ₹୨୪୧.୩୭ କୋଟି କ୍ଷତିପୂରଣ ପ୍ରଦାନ କରାଯାଇଛି।

ନିକଟରେ ନବରଙ୍ଗପୁରକୁ ₹୫ କୋଟି, ଗଞ୍ଜାମ ଓ ଗଜପତିକୁ ₹୨ କୋଟି ଏବଂ ଝାରସୁଗୁଡ଼ାକୁ ₹୧ କୋଟି ରିଲିଫ୍ ରାଶି ଦିଆଯାଇଛି। ଏହାବ୍ୟତୀତ ବିଭିନ୍ନ ଜିଲ୍ଲାକୁ ଆବଣ୍ଟିତ ଅର୍ଥର ବ୍ୟବହାର ଓ କ୍ଷତିପୂରଣ ବଣ୍ଟନର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହୋଇଥିଲା।

କେଉଁ ଜିଲ୍ଲାରେ କେତେ ବଣ୍ଟନ?

କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ₹୧୬.୦୪ କୋଟି ଦିଆଯାଇଥିବା ବେଳେ ପ୍ରାୟ ₹୧୧.୨୧ କୋଟି ବଣ୍ଟନ ଶେଷ ହୋଇଛି। ଯାଜପୁରକୁ ₹୫୨.୦୪ କୋଟି ମିଳିଥିବା ବେଳେ ₹୩୩.୮୦ କୋଟି ବଣ୍ଟନ ହୋଇଛି। ଭଦ୍ରକକୁ ମିଳିଥିବା ₹୬୪.୫୪ କୋଟିରୁ ₹୪୩.୨୮ କୋଟି ଖର୍ଚ୍ଚ ହୋଇଛି।

ସେହିପରି ବାଲେଶ୍ୱର ପାଇଁ ₹୨୬.୯୨ କୋଟି ଆବଣ୍ଟନ ହୋଇଥିବା ବେଳେ ଏଯାଏଁ ପ୍ରାୟ ₹୫.୯୪ କୋଟି କ୍ଷତିପୂରଣ ବାବଦରେ ବ୍ୟୟ ହୋଇଛି। ବାରମ୍ବାର ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ପ୍ରଭାବିତ ହୋଇଥିଲେ ମଧ୍ୟ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବୈଠକରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନିୟମ ଅନୁଯାୟୀ ସହାୟତା ଶୀଘ୍ର ପହଞ୍ଚାଇବା ସହ କ୍ଷୟକ୍ଷତି ଆକଳନ ଓ ରିପୋର୍ଟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟର କେତେକ ଅଞ୍ଚଳରେ ନଦୀଜଳ କମିଥିଲେ ମଧ୍ୟ ଗାଁଗୁଡ଼ିକରେ ପାଣି ଜମି ରହିଥିବା ରିପୋର୍ଟ ଆସିଛି। ଏହି କାରଣରୁ ରିଲିଫ୍ କ୍ୟାମ୍ପ ଓ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥା ମଧ୍ୟ ଜାରି ରହିଛି।