ଭୁବନେଶ୍ୱର: ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (SEBC)ଙ୍କ ରାଜନୈତିକ ପ୍ରତିନିଧିତ୍ୱର ଆକଳନ ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର କମିଶନ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି ପରେ ଏ ସଂକ୍ରାନ୍ତରେ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ଅବସରପ୍ରାପ୍ତ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କୁ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ବିଜୟ କୁମାର ପ୍ରୁଷ୍ଟିଙ୍କୁ ସଦସ୍ୟ ଏବଂ ଏସ୍‌ଟି ଓ ଏସ୍‌ସି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ରଙ୍କୁ ସଦସ୍ୟ-ସଚିବ ଭାବେ ରଖାଯାଇଛି।

କ’ଣ ଯାଞ୍ଚ କରିବ କମିଶନ?

କମିଶନ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାରେ SEBCଙ୍କ ସ୍ଥିତିର ଅଧ୍ୟୟନ କରିବ। ପଞ୍ଚାୟତ ସମେତ ମ୍ୟୁନିସିପାଲିଟି ଓ ଅନ୍ୟ ସହରାଞ୍ଚଳ ସଂସ୍ଥାରେ SEBCଙ୍କ ଜନସଂଖ୍ୟା ଅନୁପାତ କେତେ, ସେହି ଅନୁପାତରେ ରାଜନୈତିକ ପ୍ରତିନିଧିତ୍ୱ ମିଳୁଛି କି ନାହିଁ ଏବଂ ସେମାନଙ୍କ ରାଜନୈତିକ ପଛୁଆପଣର ପ୍ରକୃତି କ’ଣ—ତାହାର ମୂଲ୍ୟାଙ୍କନ କରାଯିବ।

କମିଶନର ରିପୋର୍ଟ ଆଧାରରେ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାରେ SEBCଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ଓ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ସରକାର ପରବର୍ତ୍ତୀ ପଦକ୍ଷେପ ନେଇପାରନ୍ତି।

ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ

SEBCଙ୍କ ପାଇଁ ଓଡ଼ିଶା ସରକାର ପୂର୍ବରୁ ବୃତ୍ତିଗତ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ମେଡିକାଲ ଓ ଇଞ୍ଜିନିୟରିଂ ସମେତ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଏହି ସଂରକ୍ଷଣ ଲାଗୁ କରାଯାଇଛି।

ଏହା ସହିତ ଏବେ ସ୍ଥାନୀୟ ନିର୍ବାଚନରେ SEBCଙ୍କ ଜନସଂଖ୍ୟା ଓ ପ୍ରତିନିଧିତ୍ୱ ନେଇ ତଥ୍ୟଭିତ୍ତିକ ଅଧ୍ୟୟନ କରିବା ପାଇଁ କମିଶନ ଗଠନ ହୋଇଥିବାରୁ ଆଗାମୀ ଦିନରେ ଏହାର ସୁପାରିସ ଗୁରୁତ୍ୱ ବହନ କରିବ।