ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ରାଜ୍ୟର ବରିଷ୍ଠ ଆଇଏଏସ୍ (IAS) କ୍ୟାଡରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନଭେମ୍ବର ୫ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ବରିଷ୍ଠ ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।
ରାଜ୍ୟପାଳଙ୍କ ଆଦେଶକ୍ରମେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ଏବଂ ଅର୍ଥ ବିଭାଗରେ ନୂଆ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି।
ନୂତନ ନିଯୁକ୍ତି ଓ ଦାୟିତ୍ୱ ସୂଚୀ:
- ବିଷ୍ଣୁପଦ ସେଠୀ (୧୯୯୫ ବ୍ୟାଚ୍): ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା କେବିକେ (KBK) ର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍ଡି (OSD) ଭାବେ ନିଯୁକ୍ତ କରାଯାଇଛି।
- ଗିରୀଶ ଏସ୍.ଏନ୍. (୨୦୦୨ ବ୍ୟାଚ୍): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଶାସନ ସଚିବ ଭାବେ କାର୍ଯ୍ୟରତ ଗିରୀଶ ଏସ୍.ଏନ୍.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନୂତନ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।
- ଅଶ୍ୱାଥୀ ଏସ୍. (୨୦୦୩ ବ୍ୟାଚ୍): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଥିବା ଅଶ୍ୱାଥୀ ଏସ୍.ଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଏହା ସହିତ ସେ ‘ସିଟି-ଓଡ଼ିଶା’ (SITI-Odisha) ର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଭାବେ ନିଜର ଅତିରିକ୍ତ ଦାୟିତ୍ୱ ଜାରି ରଖିବେ।
- ରୂପା ମିଶ୍ର (୨୦୦୪ ବ୍ୟାଚ୍): କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିବା ପରେ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ରାଜ୍ୟରେ ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ପ୍ରଶାସନିକ ରଦ୍ଦବଦଳ କରାଯାଇଥିବା ଜଣାପଡ଼ିଛି।




