ପୁରୀ: ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶନିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। ମହାପ୍ରଭୁଙ୍କ ଦର୍ଶନ କରି ସେ ଓଡ଼ିଶାବାସୀଙ୍କ ମଙ୍ଗଳ ଓ ରାଜ୍ୟର ପ୍ରଗତି କାମନା କରି ପ୍ରାର୍ଥନା କରିଥିଲେ।

ପରିବାର ସହ ପୁରୀ ଲୋକଭବନରେ ପହଞ୍ଚିବା ପରେ ତାଙ୍କୁ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସ୍‌ପି ପ୍ରତୀକ ସିଂ ସ୍ୱାଗତ କରିଥିଲେ। ପରେ ସେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା।

ଓଡ଼ିଶାର ବିକାଶ ପାଇଁ କଲେ ପ୍ରାର୍ଥନା

ଦର୍ଶନ ପରେ ରାଜ୍ୟପାଳ ବ୍ରଜମୋହନ ରାମ କହିଥିଲେ ଯେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ତାଙ୍କର ଇଚ୍ଛା ଥିଲା। ମହାପ୍ରଭୁଙ୍କ କୃପାରୁ ସୁନ୍ଦର ଦର୍ଶନ ମିଳିଥିବା ସେ କହିଥିଲେ।

ରବିବାର ଶପଥ ଗ୍ରହଣ ପରେ ସେ ଦାୟିତ୍ୱ ଆରମ୍ଭ କରିବେ। ସମସ୍ତଙ୍କ ସହ ଆଲୋଚନା କରି ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଥିଲେ।

ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଦର୍ଶନରେ ସହଯୋଗ କରିଥିଲେ।