ଭୁବନେଶ୍ୱର: ଓଡ଼ିଶାରେ ଆପାତକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ଦ୍ୱାରା ପ୍ରାୟୋଜିତ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ପ୍ରକଳ୍ପ (ଏନ୍‌ଏଚ୍‌ଆର୍‌ପି)ରେ ରାଜ୍ୟର ଏକ ଜିଲ୍ଲାକୁ ସାମିଲ କରିବା ପାଇଁ ଚିଠି ଲେଖିଛନ୍ତି। ଏନେଇ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଏମ୍‌ସର ଜରୁରୀକାଳୀନ ଚିକିତ୍ସା ବିଭାଗ ଓ ଜେପିଏନ୍‌ ଆପେକ୍ସ ଟ୍ରମା ସେଣ୍ଟର ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଜରୁରୀକାଳୀନ ରୋଗୀ ପରିଚାଳନା ଓ ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିଲେ। ପରେ ସେ ଆଇସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ରାଜୀବ ବହଲ୍‌ ଓ ଏନ୍‌ଏଚ୍‌ଆର୍‌ପିର ମୁଖ୍ୟ ତଥା ଏମ୍‌ସର ମେଡିସିନ୍‌ ବିଭାଗର ପ୍ରଫେସର ସଞ୍ଜୀବ ଭୋଇଙ୍କୁ ପତ୍ର ଲେଖି ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି।

ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ଇଣ୍ଡିଆ ଷ୍ଟେଟ୍‌ ଲେଭେଲ୍‌ ଡିଜିଜ୍‌ ବର୍ଡେନ୍‌ ଇନିସିଏଟିଭ୍‌-୨୦୧୯’ ରିପୋର୍ଟ ଅନୁଯାୟୀ, ଆପାତକାଳୀନ ଓ ସଂକଟଜନକ ସ୍ଥିତିରେ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ଦେଶର ୮ମ ସ୍ଥାନରେ ରହିଛି। ସେହିପରି ଡାଲିସ୍‌ ଇନ୍‌ ଇଣ୍ଡିଆ ତାଲିକାରେ ରାଜ୍ୟ ୩ୟ ସ୍ଥାନରେ ଅଛି। ଏହା ରାଜ୍ୟରେ ଆପାତକାଳୀନ ସ୍ୱାସ୍ଥ୍ୟସେବାର ଦୁର୍ବଳତାକୁ ସୂଚିତ କରୁଥିବାରୁ ତୁରନ୍ତ ସୁଦୃଢ଼ ପଦକ୍ଷେପ ଆବଶ୍ୟକ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ପତ୍ରରେ ଆହୁରି ଲେଖିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଏକ ଜିଲ୍ଲାକୁ ଏନ୍‌ଏଚ୍‌ଆର୍‌ପିରେ ସାମିଲ କରାଯାଇ ପରେ ସମଗ୍ର ରାଜ୍ୟରେ ଏହାକୁ ବିସ୍ତାର କରାଯାଇପାରିବ। ଏଥିପାଇଁ ଯଦି କୌଣସି ଏମ୍‌ଓୟୁ ସ୍ୱାକ୍ଷର ଆବଶ୍ୟକ ହୁଏ, ତେବେ ରାଜ୍ୟ ସରକାର ସେଥିପାଇଁ ପ୍ରସ୍ତୁତ ବୋଲି ସେ ଜଣାଇଛନ୍ତି।

ସୂଚନାଯୋଗ୍ୟ, କର୍କଟ ରୋଗ, ଭୂତାଣୁ ଓ ଜୀବାଣୁ ସଂକ୍ରମଣ, ମାନସିକ ସ୍ୱାସ୍ଥ୍ୟ, ହୃଦ୍‌ଘାତ, ଶ୍ୱାସରୋଧ ଭଳି ୧୧ଟି ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସମୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସଂଗଠିତ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଆଇସିଏମ୍‌ଆର୍‌ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ପ୍ରକଳ୍ପ (ଏନ୍‌ଏଚ୍‌ଆର୍‌ପି) ଆରମ୍ଭ କରାଯାଇଛି।