ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ତୀବ୍ର ଗ୍ରୀଷ୍ମପ୍ରବାହ ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ମଧ୍ୟନଜର ରଖି ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ଅସ୍ଥାୟୀଭାବେ ବନ୍ଦ କରାଯାଇଛି। ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ସହ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଟେ।

ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷାଗୁଡ଼ିକ ଯଥାପୂର୍ବକ ଚାଲିବ। ଏହାସହ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଜନଗଣନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ସ୍ଥାନୀୟ ପାଣିପାଗ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ସିଦ୍ଧାନ୍ତ ନେଇଛନ୍ତି। ସ୍କୁଲ ବନ୍ଦ ଘୋଷଣା ପରେ ଅନେକ ବେସରକାରୀ ବିଦ୍ୟାଳୟ ଅନଲାଇନ୍‌ ଶିକ୍ଷା ଆରମ୍ଭ କରିବାକୁ ପଦକ୍ଷେପ ନେଇଥିବା ବେଳେ ସରକାରୀ ସ୍ତରରେ ସେଭଳି ସ୍ପଷ୍ଟ ନିଷ୍ପତ୍ତି ଦେଖାଯାଇନାହିଁ।

ଅଧିକାଂଶ ଜିଲ୍ଲାରେ ଏପ୍ରିଲ ୨୩ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ଶିଶୁବାଟିକାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ବନ୍ଦ ରହିବ। ତେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରି ପରୀକ୍ଷା ଜାରି ରହିବ।

ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପାନୀୟ ଜଳ, ଓଆରଏସ୍‌, ପ୍ରଥମିକ ଚିକିତ୍ସା ଓ ବାତାୟନ ବ୍ୟବସ୍ଥା ରଖିବାକୁ ଶିକ୍ଷାନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହିତ ନୟାଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ବଲାଙ୍ଗୀର ଜିଲ୍ଲାସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲ ବନ୍ଦ ରହିଛି।

ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦିନରେ ଛୁଟି ବୃଦ୍ଧି କରାଯିବ କି ନାହିଁ, ସେଥିପାଇଁ ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବ।