ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଥିବା ଅବପାତ ପ୍ରଭାବରେ ବିଗତ ତିନି ଦିନ ହେବ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସୋମବାର ଦିନ ୬ଟି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା- ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର।
ଅତି ପ୍ରବଳ ବର୍ଷା ସୂଚନାକୁ ଆଧାର କରି ସୁବର୍ଣ୍ଣପୁର ଜିଲ୍ଲାପାଳ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୌଦ୍ଧ ଜିଲ୍ଲାରେ ମଧ୍ୟ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ଏବଂ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରକୁ ବାତିଲ କରାଯାଇଛି।
ସମ୍ବଲପୁରରେ ରାତିସାରା ଅବିଶ୍ରାନ୍ତ ବର୍ଷା ହେବା ଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ସ୍ଥିତିକୁ ପରଖି ଜିଲ୍ଲାପାଳ ସମ୍ବଲପୁର ମହାନଗର ନିଗମ (SMC) ଏବଂ ଧନକଉଡ଼ା ବ୍ଲକର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଧନକଉଡ଼ା ବ୍ଲକରେ ୧୫୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦୁର୍ଗାପାଲି ଅଞ୍ଚଳରେ ସର୍ବାଧିକ ୧୮୦.୫ ମିଲିମିଟର ବର୍ଷା ହୋଇଛି। ଅନେକ ଲୋକଙ୍କ ଘରେ ବର୍ଷା ହୋଇଛି। ଅନେକ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଥିବାରୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ବିଳମ୍ବିତ ରାତିରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
ଅପରପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାରେ ଘଡ଼ଘଡ଼ି ସହ ଲଗାତାର ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରେନେଜ ବ୍ୟବସ୍ଥା ଭଲ ନଥିବାରୁ ଜୟଗୁରୁ ଚକରୁ କଚେରୀ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବନ୍ୟା ପାଣି ଜମି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିବା ଅବପାତ ଯୋଗୁଁ ଏହିପରି ବର୍ଷା ବିପତ୍ତି ଜାରି ରହିଛି।




