ଭୁବନେଶ୍ୱର: ଓଡ଼ିଶାରେ ତମ୍ବାଖୁ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକୁ ନେଇ ଦାଖଲ ହୋଇଥିବା ଏକ ଯାଚିକାର ଶୁଣାଣି କରି ହାଇକୋର୍ଟ ଏହା ସମ୍ପର୍କିତ ସରକାରୀ ନୋଟିଫିକେସନ୍ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ଏପ୍ରିଲ୍ରେ ହେବ।
ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ସି.ଏସ୍. ୱୈଦ୍ୟନାଥନ୍ ଓ ବିବେକ କୋହଲିଙ୍କ ସହ ନଲିନ ତଲୱାର, ଯେଶୀ, ସ୍ଥାନୀୟ ଆଇନଜୀବୀ ଏବଂ ମନୋଜ ଗୁପ୍ତା ଆଦାଲତରେ ଉପସ୍ଥିତ ଥିଲେ। ୱୈଦ୍ୟନାଥନ୍ ଆଦାଲତକୁ କହିଥିଲେ ଯେ ଚବା ତମ୍ବାଖୁ COTPA (Cigarettes and Other Tobacco Products Act) ଅଧୀନରେ ପଡ଼େ, ଫୁଡ୍ ସେଫ୍ଟି ଆଇନ ଅଧୀନରେ ନୁହେଁ।
ସେ ଦାବି କରିଥିଲେ ଯେ ଏହି ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କୁ ଚବା ତମାକୁ ଉପରେ ପ୍ରତିବନ୍ଧ ଲଗାଇବାର ଅଧିକାର ନାହିଁ। ଏହାର ପ୍ରତିଉତ୍ତରରେ ରାଜ୍ୟ ସରକାରଙ୍କ ଆଇନଜୀବୀ କହିଥିଲେ ଯେ ତମ୍ବାଖୁକୁ ଫୁଡ୍ କ୍ୟାଟେଗୋରୀରେ ଗଣାଯାଇଥିବାରୁ ରାଜ୍ୟ ସରକାର ଏହା ଉପରେ କାର୍ଯ୍ୟନୁଷ୍ଠାନ ନେଇପାରିବେ।
ପରେ ଆଇନଜୀବୀ ବିବେକ କୋହଲି ଆଦାଲତକୁ କହିଥିଲେ ଯେ ବ୍ୟାନ୍ ସମ୍ପର୍କିତ ନୋଟିଫିକେସନ୍ରେ ଯୋଡ଼ାଯାଇଥିବା ଏକ ପ୍ରାବଧାନ ଭ୍ରାମକ, କାରଣ ଏହାକୁ ୨୦୧୮ ମସିହାରେ ହଟାଇ ଦିଆଯାଇଥିଲା।
ଦୁଇ ପକ୍ଷର ଦୀର୍ଘ ଯୁକ୍ତିତର୍କ ଶୁଣିବା ପରେ ଆଦାଲତ ଯାଚିକାକାରୀଙ୍କ ଦାବିକୁ ପ୍ରାଥମିକ ଭାବେ ସ୍ୱୀକାର କରି ଚବା ତମ୍ବାଖୁ ସମ୍ପର୍କିତ ନୋଟିଫିକେସନ୍ ଉପରେ ଅନ୍ତର୍ବର୍ତ୍ତୀ ରୋକ ଜାରି କରିଛନ୍ତି। ସେଥିସହ ମାମଲାକୁ ଅନ୍ତିମ ଶୁଣାଣି ପାଇଁ ୧୦ ଏପ୍ରିଲ୍ରେ ତାଲିକାଭୁକ୍ତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨୨ ଜାନୁଆରୀରେ ଗୁଟଖା, ପାନ ମସଲା ଏବଂ ତମ୍ବାଖୁ କିମ୍ବା ନିକୋଟିନ୍ ଥିବା ସମସ୍ତ ପ୍ରକାର ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣ୍ଟନ ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଘୋଷଣା କରିଥିଲେ।
ଜାରି ନୋଟିଫିକେସନ୍ରେ ଗୁଟଖା ସହ ତମ୍ବାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପଦାର୍ଥ ଉପରେ ସ୍ପଷ୍ଟ ରୋକ ଲଗାଯାଇଥିଲା। ତଥାପି ରାଜ୍ୟରେ ୨୦୧୩ ମସିହାରୁ ତମାକୁ ଉତ୍ପାଦ ବିକ୍ରୟ ଉପରେ ପ୍ରତିବନ୍ଧ ଚାଲୁ ରହିଛି। ନୂଆ ନିର୍ଦ୍ଦେଶ ପୂର୍ବରୁ ଥିବା ଅସ୍ପଷ୍ଟତାକୁ ଦୂର କରି ସମଗ୍ର ରାଜ୍ୟରେ ସମାନ ନିୟମ ଲାଗୁ କରିବା ପାଇଁ ଜାରି ହୋଇଥିବା କୁହାଯାଇଥିଲା।
ସରକାରୀ ସୂଚନା ଅନୁଯାୟୀ, ୧ ଫେବୃଆରୀରୁ ପାନ ମସଲା, ସିଗାରେଟ୍ ଓ ଅନ୍ୟ ତମାକୁ ପଦାର୍ଥ ଉପରେ ୪୦ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଥିବାବେଳେ ବିଡ଼ି ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଛି।




