ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସହରାଞ୍ଚଳ ଏବଂ ଅର୍ଥନୈତିକ ପେଣ୍ଠସ୍ଥଳୀଗୁଡ଼ିକ ମଧ୍ୟରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସୁରକ୍ଷିତ ଏବଂ ସୁଗମ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ‘ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଅର୍ଥନୈତିକ ଅଞ୍ଚଳ’ପାଇଁ ପ୍ରସ୍ତୁତ ହେଉଥିବା ବ୍ୟାପକ ଆଞ୍ଚଳିକ ଗତିଶୀଳତା ଯୋଜନା ର ଏକ ଅଂଶ ସ୍ୱରୂପ ଆଜି ଅର୍ଥାତ୍ ନଭେମ୍ବର ୨୩ ତାରିଖରୁ ‘ଘରୋଇ ଯାତ୍ରା ସର୍ଭେ’ ଆରମ୍ଭ ହୋଇଛି।
ଦୈନନ୍ଦିନ ଯାତାୟାତର ସମସ୍ୟା ଓ ଆବଶ୍ୟକତା ଜାଣିବା ସର୍ଭେର ଲକ୍ଷ୍ୟ:
ଏହି ସର୍ଭେ ମାଧ୍ୟମରେ ଲୋକମାନେ ପ୍ରତିଦିନ କିପରି ଯାତାୟାତ କରୁଛନ୍ତି, ସେମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ କେଉଁ କ୍ଷେତ୍ରରେ ପରିବର୍ତ୍ତନ ଓ ଉନ୍ନତିର ଆବଶ୍ୟକତା ରହିଛି, ସେ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରାଯିବ। ପ୍ରାଧିକୃତ ସର୍ଭେ ଟିମ୍ ଚିହ୍ନଟ ହୋଇଥିବା ପରିବାରଗୁଡ଼ିକର ଘରକୁ ଯାଇ ଯାନବାହନ ମାଲିକାନା, ଦୈନନ୍ଦିନ ଯାତ୍ରା ଧାରା, ଯାତ୍ରାର ଉଦ୍ଦେଶ୍ୟ, ଯାତାୟାତର ମାଧ୍ୟମ, ସମୟ ଏବଂ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ଏକତ୍ର କରିବେ। ଏହା ସହିତ ନାଗରିକମାନଙ୍କୁ ସେମାନଙ୍କ ଯାତାୟାତ ସମସ୍ୟା ଜଣାଇବା ଏବଂ ସୁଧାର ପାଇଁ ପରାମର୍ଶ ଦେବାକୁ ମଧ୍ୟ ଆମନ୍ତ୍ରଣ କରାଯିବ। ସଂଗୃହୀତ ସମସ୍ତ ତଥ୍ୟ କେବଳ ସରକାରୀ ଯୋଜନା ପ୍ରସ୍ତୁତି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୁଚିନ୍ତିତ ପରିବହନ ବ୍ୟବସ୍ଥା ଗଠନରେ ସହାୟକ ହେବ: ଉଷା ପାଢ଼ୀ
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, “ଏକ ସୁଚିନ୍ତିତ ଗମନାଗମନ ବ୍ୟବସ୍ଥା ଲୋକଙ୍କ ଦୈନନ୍ଦିନ ଯାତ୍ରା ଆବଶ୍ୟକତାକୁ ବୁଝିବା ଉପରେ ଆଧାରିତ ହେବା ଉଚିତ। ଏହି ଘରୋଇ ସର୍ଭେ ଅଞ୍ଚଳର ବାସିନ୍ଦାମାନେ କିପରି ଯାତାୟାତ କରୁଛନ୍ତି, ସେମାନଙ୍କ ଆହ୍ୱାନ ଏବଂ ଆଶା ସମ୍ପର୍କରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିବ।” ଭବିଷ୍ୟତରେ ଏକ ସୁରକ୍ଷିତ, ସୁଲଭ ଏବଂ ସମନ୍ୱିତ ପରିବହନ ବ୍ୟବସ୍ଥା ଗଠନ ପାଇଁ ଏହି ସର୍ଭେରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସେ ଜନସାଧାରଣଙ୍କୁ ଉତ୍ସାହିତ କରିଛନ୍ତି।
ଏସୀୟ ଉନ୍ନୟନ ବ୍ୟାଙ୍କ (ADB) ସହଯୋଗରେ କାର୍ଯ୍ୟକାରୀ ହେଉଛି ଯୋଜନା:
ଏସୀୟ ଉନ୍ନୟନ ବ୍ୟାଙ୍କ ର ସହଯୋଗରେ ବିଭାଗ ପକ୍ଷରୁ ଏହି CRMP ପ୍ରସ୍ତୁତ କରାଯାଉଛି। ଘରୋଇ ସର୍ଭେ ବ୍ୟତୀତ ଟ୍ରାଫିକ୍ ଓ ପରିବହନ ସର୍ଭେ, ସାର୍ବଜନୀନ ପରିବହନର ମୂଲ୍ୟାଙ୍କନ, ମାଲ ପରିବହନ ଅଧ୍ୟୟନ ଏବଂ ନାଗରିକ ଓ ଅଂଶୀଦାରଙ୍କ ସହ ପରାମର୍ଶକୁ ଏଥିରେ ସାମିଲ କରାଯିବ। ଟ୍ରାଫିକ୍ ଭିଡ଼ କମାଇବା ଏବଂ ଦୈନନ୍ଦିନ ଯାତ୍ରାକୁ ସହଜ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସର୍ଭେ ଟିମ୍ ଘରକୁ ଗଲେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।




