ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ହାଉସିଂ ଆଣ୍ଡ୍ ଅର୍ବାନ୍ ଡେଭଲପମେଣ୍ଟ (H&UD) ବିଭାଗ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଏହା ଅଧୀନରେ SBIର ପେମେଣ୍ଟ ଆଗ୍ରିଗେଟର୍ ସେବା SBIePayକୁ SUJOG ପ୍ଲାଟଫର୍ମ ସହ ସଂଯୋଗ କରାଯିବ।
ଏହି ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ଅଧୀନରେ ନାଗରିକମାନେ ପୌର କର, ଫି’ ଓ ବିଭିନ୍ନ ୟୁଟିଲିଟି ବିଲ୍ ଅନଲାଇନ୍ରେ ଦେଇପାରିବେ।
UPI, କାର୍ଡ ଓ ନେଟ୍ ବ୍ୟାଙ୍କିଂରେ ପେମେଣ୍ଟ
SBIePay ମାଧ୍ୟମରେ ନାଗରିକଙ୍କୁ ଏକାଧିକ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ମିଳିବ। RuPay, Visa, MasterCard, Maestro ଓ AMEX କାର୍ଡ ସହ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଓ IMPS ଜରିଆରେ ଟଙ୍କା ପୈଠ କରିହେବ।
ସେହିପରି ସାଧାରଣ UPI ସହ UPI-RCC, UPI-CL ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ମଧ୍ୟ ପେମେଣ୍ଟ ସୁବିଧା ରହିବ।
T+1ରେ ହେବ ଟଙ୍କା ସେଟଲମେଣ୍ଟ
ନୂଆ ବ୍ୟବସ୍ଥାରେ ପେମେଣ୍ଟ ଗେଟ୍ୱେ ମାଧ୍ୟମରେ ସଂଗୃହୀତ ଅର୍ଥ ପରବର୍ତ୍ତୀ କାର୍ଯ୍ୟଦିବସ (T+1) ମଧ୍ୟରେ ସମ୍ପୃକ୍ତ ULBର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାରେ ଜମା ହେବ। ପ୍ରତ୍ୟେକ ଟ୍ରାଞ୍ଜାକ୍ସନ୍ ପାଇଁ ଅଲଗା ପରିଚୟ ସଂଖ୍ୟା ରହିବ। ଏହା ମାଧ୍ୟମରେ ଟଙ୍କାର ଟ୍ରାକିଂ, ହିସାବ ଓ ରିକନ୍ସିଲିଏସନ୍ ଅଧିକ ସ୍ୱଚ୍ଛ ଭାବେ କରାଯାଇପାରିବ।
ପେମେଣ୍ଟ ସମ୍ପର୍କିତ ତ୍ରୁଟି, ରିଫଣ୍ଡ ଓ ଚାର୍ଜବ୍ୟାକ୍ ମାମଲାର ସମାଧାନ ପାଇଁ ସର୍ବାଧିକ ୭ କ୍ୟାଲେଣ୍ଡର ଦିନର ସମୟସୀମା ରଖାଯାଇଛି।
MoUରେ H&UD ବିଭାଗର ଅତିରିକ୍ତ ସଚିବ ସୁବେନ୍ଦୁ ସାହୁ ଓ SBIର DGM (D&TB) ସୁଶାନ୍ତ କୁମାର ଦାଶ ସ୍ୱାକ୍ଷର କରିଥିଲେ। ଏହି ଅବସରରେ H&UD ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ SBI ଓଡ଼ିଶା ସର୍କଲର ଚିଫ୍ ଜେନେରାଲ୍ ମ୍ୟାନେଜର୍ ରାକେଶ ଯାଦବ ଉପସ୍ଥିତ ଥିଲେ।




