ଭୁବନେଶ୍ୱର: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ସହ ପ୍ରକଳ୍ପଗୁଡ଼ିକ ସହ ଜଡ଼ିତ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ହୋଇଛି।
ବୈଠକରେ ନାଲକୋ ଏବଂ ଆଦାନୀ ଗ୍ରୁପ୍ର ଓଡ଼ିଶାରେ ଚାଲୁଥିବା ଓ ପ୍ରସ୍ତାବିତ ବୃହତ୍ ନିବେଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଭବିଷ୍ୟତ ନିବେଶ ଯୋଜନା ଏବଂ ସେଗୁଡ଼ିକର ସୁଗମ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ସରକାରୀ ସହଯୋଗ ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗର ସଚିବଙ୍କ ସହ ଇଡକୋ, ଓଡ଼ିଶା ଖଣି ନିଗମ, ଇପିକଲ ଓ ଟିପିସିଓଡିଏଲର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ନାଲକୋ ସମ୍ପର୍କିତ ଆଲୋଚନାରେ ସ୍ମେଲ୍ଟର ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ସହ ଉତ୍କଳ ‘ଡି’ ଓ ‘ଇ’ କୋଇଲା ଖଣି ଭଳି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ପୁନର୍ବାସ ଓ ଥଇଥାନ, ଜନଶୁଣାଣି, ଗ୍ରାମସଭା ଏବଂ ପ୍ରକଳ୍ପ ସହ ଜଡ଼ିତ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସେହିପରି ଆଦାନୀ ଗ୍ରୁପ୍ର ବନ୍ଦର, ଶିଳ୍ପ ପାର୍କ, ଶକ୍ତି, ଆଲୁମିନିୟମ୍, ସିମେଣ୍ଟ, କୋଲ୍ ଗ୍ୟାସିଫିକେସନ୍, ଡାଟା ସେଣ୍ଟର, ଖଣି ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଚାଲୁଥିବା ଏବଂ ପ୍ରସ୍ତାବିତ ନିବେଶ ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଥିଲା। ବିଶେଷକରି ଧାମରା ଓ ଗୋପାଳପୁର ବନ୍ଦର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଆର୍ଥିକ କରିଡର ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ନେଇ ଆବଶ୍ୟକତା ଓ ସମ୍ଭାବନା ଉପରେ ଆଲୋଚନା ହୋଇଥିଲା।
ପ୍ରକଳ୍ପଗୁଡ଼ିକ ପାଇଁ ଜମି ଆବଶ୍ୟକତା, ଅଧିଗ୍ରହଣ, ସଡ଼କ ଓ ରେଳ ସଂଯୋଗ, ଉପକୂଳ ନିୟନ୍ତ୍ରଣ ଅଞ୍ଚଳ ସମ୍ପର୍କିତ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ସରକାରୀ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟରେ ବୃହତ୍ ନିବେଶ ପାଇଁ ଅନୁକୂଳ ପରିବେଶକୁ ଆହୁରି ସୁଦୃଢ଼ କରିବା ସହ ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ବୈଠକରେ ଜୋର ଦିଆଯାଇଥିଲା।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ବୃହତ୍ ଶିଳ୍ପ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟାନ୍ୱୟନ ରାଜ୍ୟର ଶିଳ୍ପ ବିକାଶ, ନିବେଶ ବୃଦ୍ଧି, ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରକଳ୍ପ ସମ୍ପର୍କିତ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ, ନାଲକୋ, ଆଦାନୀ ଗ୍ରୁପ୍ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ସମୟବଦ୍ଧ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଅନୁଗୋଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ସୁନ୍ଦରଗଡ଼, କଟକ ଓ ଭଦ୍ରକ ଆଦି ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।




