ଯାଜପୁର: ରାଜ୍ୟରେ ପ୍ରଖର ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଥିବା ବେଳେ, ବର୍ଷା ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଯାଜପୁର ଜିଲ୍ଲାରୁ ଏକ ନିଆରା ଖବର ସାମ୍ନାକୁ ଆସିଛି। ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଗମହାମିଆ ଗ୍ରାମରେ ବେଶ୍‌ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ଏକ ପ୍ରାଚୀନ ପରମ୍ପରା ‘ଅଣ୍ଡିରା ବିବାହ’ ଯେଉଁଠି ଦୁଇ ଜଣ ପୁରୁଷ ପରସ୍ପରକୁ ବିବାହ କରିଛନ୍ତି। ବିଶ୍ୱାସ ରହିଛି ଯେ, ଏହି ପ୍ରଥା ଦ୍ୱାରା ବର୍ଷା ଦେବତା ପ୍ରସନ୍ନ ହୁଅନ୍ତି ଏବଂ ଶୁଖିଲା ପଡ଼ିଥିବା ଚାଷ ଜମି ପାଇଁ ପର୍ଯ୍ୟାପ୍ତ ବର୍ଷା ହୋଇଥାଏ।

ବର-କନ୍ୟା ବେଶରେ ସଜେଇ ହେଲେ ଦୁଇ ଯୁବକ

ଗତ ଜୁନ୍ ୧୭ ତାରିଖ ସନ୍ଧ୍ୟାରେ ଏହି ରଙ୍ଗାରଙ୍ଗ ପାରମ୍ପରିକ ବିବାହ ଅନୁଷ୍ଠିତ ହୋଇଥିଲା। ଗ୍ରାମର ଯୁବକ ଜତିନ ଖଟୁଆ ବର ବେଶରେ ସଜେଇ ହୋଇ ଏକ ସୁସଜ୍ଜିତ ଗାଡ଼ିରେ ବାରାତୀ ସହ ବାହାରିଥିଲେ। ଡିଜେ ଗୀତର ତାଳେ ତାଳେ ଗ୍ରାମବାସୀଙ୍କ ସହ ନିଜେ ବର ମଧ୍ୟ ନାଚୁଥିବାର ଦେଖିବାକୁ ମିଳିଥିଲା।

ଏହି ଶୋଭାଯାତ୍ରା ସ୍ଥାନୀୟ ସିଦ୍ଧେଶ୍ୱରୀ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ସମ୍ପୂର୍ଣ୍ଣ କନ୍ୟା ବେଶରେ ସଜେଇ ହୋଇ ଅପେକ୍ଷା କରିଥିଲେ ‘କନ୍ୟା’ କାଳନ୍ଦୀ ନାୟକ।

ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ବାହାଘର

ପୁରୋହିତଙ୍କ ମନ୍ତ୍ରପାଠ ଏବଂ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅନନ୍ୟ ବିବାହରେ ଲକ୍ଷ୍ମଣ ଖଟୁଆ ବରର ପିତା ଏବଂ ମାନଗୋବିନ୍ଦ ନାୟକ କନ୍ୟାର ପିତା ଭାବେ ସମସ୍ତ ଦାୟିତ୍ୱ ତୁଲାଇଥିଲେ।

ଏହି ସମଗ୍ର କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପ୍ତ ହୋଇଥିଲା। ବିବାହ ପରେ ପାରମ୍ପରିକ ଶୈଳୀରେ କନ୍ୟା ବିଦାୟୀ ହୋଇଥିଲା ଏବଂ ମନ୍ଦିର ନିକଟରେ ଗ୍ରାମବାସୀଙ୍କ ପାଇଁ ଏକ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ଗ୍ରାମବାସୀଙ୍କ ଦୃଢ଼ ବିଶ୍ୱାସ ଯେ, ଏହି ନିଆରା ପରମ୍ପରା ଯୋଗୁଁ ଅଞ୍ଚଳରେ ଶୀଘ୍ର ଭଲ ବର୍ଷା ହେବ ଏବଂ ସେମାନଙ୍କ ଫସଲ ରକ୍ଷା ପାଇଯିବ।