ଭୁବନେଶ୍ୱର: ଓଡ଼ିଶା ଓ ଜାପାନର ତତ୍ତୋରି ପ୍ରଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୈତ୍ରୀ ଚୁକ୍ତି (Friendship Agreement) ସ୍ୱାକ୍ଷର କରିବା ଦିଗରେ ରାଜ୍ୟ ସରକାର ବିଚାର କରୁଛନ୍ତି। ଏହି ପ୍ରସଙ୍ଗରେ ତତ୍ତୋରିର ମୁଖ୍ୟ ସଚିବ ତୋଶିକି ଏଣ୍ଡୋଙ୍କ ନେତୃତ୍ୱରେ ଓଡ଼ିଶା ଗସ୍ତରେ ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳ ସହ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି।

ପ୍ରସ୍ତାବିତ ସହଯୋଗ ଅଧୀନରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଦକ୍ଷ ମାନବ ସମ୍ବଳ ଆଦାନ-ପ୍ରଦାନ, ରୋଜଗାର ସୃଷ୍ଟି, ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ, ପର୍ଯ୍ୟଟନ ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ତତ୍ତୋରି ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱାଗତ କରାଯାଇଥିବାବେଳେ ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି ଓ ମାନବ ସମ୍ବଳ କ୍ଷେତ୍ରରେ ଦୀର୍ଘମିଆଦି ସହଯୋଗ ପ୍ରତି ଆଗ୍ରହ ପ୍ରକାଶ କରାଯାଇଛି।

ନଭେମ୍ବରରେ ଓଡ଼ିଶା ଆସିବେ ତତ୍ତୋରିର ରାଜ୍ୟପାଳ

ବୈଠକରେ ତତ୍ତୋରିର ମୁଖ୍ୟ ସଚିବ ସୂଚନା ଦେଇଥିଲେ ଯେ, ଆସନ୍ତା ନଭେମ୍ବରରେ ତତ୍ତୋରି ପ୍ରଦେଶର ରାଜ୍ୟପାଳ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତିକୁ ନେଇ ଆହୁରି ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।

ଜାପାନୀ କମ୍ପାନୀଙ୍କୁ ନିବେଶ ପାଇଁ ଆହ୍ୱାନ

ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ବୌଦ୍ଧ ଐତିହ୍ୟ ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ। ସେ ଜାପାନୀ କମ୍ପାନୀମାନଙ୍କୁ ସବୁଜ ଶକ୍ତି, ଉନ୍ନତ ପ୍ରଯୁକ୍ତି, ଗବେଷଣା, ଦକ୍ଷତା ବିକାଶ, ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ, ବେଳାଭୂମି ବିକାଶ, ନୀଳ ଅର୍ଥନୀତି, ମତ୍ସ୍ୟ ସମ୍ପଦ ଓ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ ଜଣାଇଥିଲେ।

ଶିଳ୍ପ, ଗୃହ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଶିଳ୍ପାୟନ, ବନ୍ଦରଭିତ୍ତିକ ଅର୍ଥନୀତି, ଖଣିଜ ସମ୍ପଦ, ସବୁଜ ଶକ୍ତି, ଦକ୍ଷ ମାନବ ସମ୍ବଳ ଏବଂ ନିବେଶକ-ଅନୁକୂଳ ନୀତି ସମ୍ପର୍କରେ ପ୍ରତିନିଧି ଦଳକୁ ସୂଚନା ଦେଇଥିଲେ। ସେ କହିଥିଲେ, ଜାପାନର ଉନ୍ନତ ପ୍ରଯୁକ୍ତି ଓ ନିର୍ଭୁଲ ଇଞ୍ଜିନିୟରିଂ କ୍ଷମତା ସହ ଓଡ଼ିଶାର ସମ୍ପଦ ଓ ସମ୍ଭାବନାର ମିଶ୍ରଣ ରାଜ୍ୟରେ ସ୍ଥାୟୀ ଶିଳ୍ପ ବିକାଶର ନୂଆ ଦ୍ୱାର ଖୋଲିପାରିବ।

ପର୍ଯ୍ୟଟନ, ବୌଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସହଯୋଗ ଉପରେ ଗୁରୁତ୍ୱ

ବୈଠକରେ ବୌଦ୍ଧ ଐତିହ୍ୟକୁ ଆଧାର କରି ପର୍ଯ୍ୟଟନ ବିକାଶ, ଅଭିଜ୍ଞତା ବିନିମୟ, ପ୍ରତିନିଧି ଦଳ ଗସ୍ତ, ସାଂସ୍କୃତିକ ଉତ୍ସବ, ଭାଷା ଶିକ୍ଷା ଏବଂ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜନ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ତିନି ଦିନିଆ ଓଡ଼ିଶା ଗସ୍ତରେ ତତ୍ତୋରି ପ୍ରତିନିଧି ଦଳ ବିଶ୍ୱ ଦକ୍ଷତା କେନ୍ଦ୍ର, ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ସରକାରୀ ବିଭାଗ ପରିଦର୍ଶନ କରିବେ। ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।