ମାଲକାନଗିରି: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଉପାନ୍ତରୁ ଉପକୂଳ, ସବୁଠି ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡ଼ିଲେଣି। ବିଶେଷ କରି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ବିଜେଡିର ଗଡ଼ ଭାଙ୍ଗିବା ପାଇଁ ଶାସକ ବିଜେପି ବିଶେଷ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ୨୦୨୨ ପଞ୍ଚାୟତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ବିଜେଡି ଏକତରଫା ସଫଳତା ହାସଲ କରିଥିଲା। ଜିଲ୍ଲାର ୧୫ଟି ଜିଲ୍ଲା ପରିଷଦ ଆସନରୁ ୧୨ଟି ଜିଲ୍ଲା ପରିଷଦ ସହ ସମସ୍ତ ୭ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଥିଲା। ତେବେ ରାଜ୍ୟରେ କ୍ଷମତା ବଦଳିବା ପରେ ଏବେ ବିଜେପି ନିଜ ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଛି। ବିଜେଡିର ଅସନ୍ତୁଷ୍ଟ ଓ ପ୍ରଭାବଶାଳୀ ତୁଙ୍ଗ ନେତାମାନଙ୍କୁ ନିଜ ଶିବିରକୁ ଆଣି ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତିଗୁଡ଼ିକୁ ଦଖଲ କରିବାକୁ ବିଜେପି ଯୋଜନା କରିଛି।

ଅନ୍ୟପକ୍ଷରେ, ବିଜେପିର ଏହି ରଣନୀତିକୁ କଟାକ୍ଷ କରିଛି ବିଜେଡି। ଦଳରୁ ବହିଷ୍କୃତ ବା ଅସନ୍ତୁଷ୍ଟ ନେତାଙ୍କୁ ଆଶ୍ରୟ ଦେଇ ବିଜେପି ଗାଁରେ ନିଜ ସ୍ଥିତି ମଜବୁତ କରିପାରିବ ନାହିଁ ବୋଲି ବିଜେଡି କହିଛି। ବିଜେପି ସରକାର ଆସିବା ପରେ ଗାଁ ଗଣ୍ଡାରେ ବିକାଶ କାର୍ଯ୍ୟ ଠପ୍ ହୋଇପଡ଼ିଥିବା ଅଭିଯୋଗକୁ ବିଜେଡି ମୁଖ୍ୟ ମୁଦ୍ଦା କରିବ।

ସେହିପରି କଂଗ୍ରେସ ମଧ୍ୟ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗକୁ ନେଇ ସାଧାରଣ ଖାଉଟିଙ୍କ ପାଖରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ କରିଛି।

ସାଧାରଣତଃ ରାଜ୍ୟରେ ଯେଉଁ ଦଳ କ୍ଷମତାରେ ଥାଏ, ପଞ୍ଚାୟତ ନିର୍ବାଚନରେ ସେହି ଦଳକୁ କିଛିଟା ସୁବିଧା ମିଳିବାର ନଜିର ରହିଛି। ମାତ୍ର ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳରେ ବିଜେପିର ସରକାରୀ ଦବ୍‌ଦବା, ବିଜେଡିର ଶକ୍ତ ସଂଗଠନ ଏବଂ କଂଗ୍ରେସର ଜନବିରୋଧୀ ନୀତି ବିରୋଧୀ ଅଭିଯାନ ଭିତରେ ଆଗାମୀ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ବେଶ୍ ରୋଚକ ହେବାକୁ ଯାଉଛି।