ଭୁବନେଶ୍ୱର: ରାଜ୍ୟରେ ଭୂଦାନ ଜମିରେ ହୋଇଥିବା ଜାଲିଆତି ଓ ବେଆଇନ ହସ୍ତାନ୍ତରର ତଦନ୍ତ କରାଯିବ। ଏଥିସହ ଭୂଦାନ ଜମିରୁ ଅବୈଧ ଜବରଦଖଲ ହଟାଇ କେବଳ ପ୍ରକୃତ ବାସହୀନଙ୍କୁ ଜମି ଆବଣ୍ଟନ କରାଯିବ। ସୋମବାର ରାଜସ୍ୱ ବିଭାଗର ବିଭିନ୍ନ ଯୋଜନା ଓ ନାଗରିକକୈନ୍ଦ୍ରିକ ସେବାର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଭୂଦାନ ଜମିର କେତେକ ଅଂଶ ଜବରଦଖଲରେ ରହିଛି। ଆଉ କେତେକ ଜମିକୁ ଜମି ମାଫିଆମାନେ ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ ରହିଛି। ଏସବୁ ଘଟଣାର ତଦନ୍ତ କରିବା ସହ ଜମିର ସୁରକ୍ଷା ପାଇଁ କଠୋର ପଦକ୍ଷେପ ନିଆଯିବ।
ଡିଜିଟାଇଜ୍ ହେବ ଭୂଦାନ ଜମିର ରେକର୍ଡ
ଭୂଦାନ ଜମି ସମ୍ପର୍କିତ ପୁରୁଣା ରେକର୍ଡଗୁଡ଼ିକୁ ସ୍କାନିଂ ଓ ଡିଜିଟାଇଜେସନ୍ କରାଯିବ। ଏହାପରେ ‘ଭୂଦାନ ଏଲ୍ଆର୍ଏମ୍ଏସ୍ ପୋର୍ଟାଲ’ ମାଧ୍ୟମରେ ଏହି ତଥ୍ୟକୁ ଭୂଲେଖ ସହ ଯୋଡ଼ାଯିବ।
ଡିଜିଟାଲ ରେକର୍ଡ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭୂଦାନ ଜମିର ବେଆଇନ ହସ୍ତାନ୍ତର ଓ ମ୍ୟୁଟେସନ୍ ଉପରେ କଟକଣା ରହିବ। ଜାଲିଆତିର ତଦନ୍ତ ସହ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ।
ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ଉପରେ ଗୁରୁତ୍ୱ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଓ ପୁନରୁଦ୍ଧାରକୁ ମଧ୍ୟ ବୈଠକରେ ପ୍ରାଥମିକତା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୧୭ଟି ଜିଲ୍ଲାରେ ମହାପ୍ରଭୁଙ୍କ ନାମରେ ମୋଟ ୩୧,୯୦୬.୫୨ ଏକର ଜମିର ହାଲ୍ ରେକର୍ଡ କରାଯାଇଛି। ଏଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦,୫୦୭.୩୬ ଏକର ଜମି ରହିଛି।
ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରୁ ବେଆଇନ ଜବରଦଖଲ ହଟାଇବା ଏବଂ ରାଜସ୍ୱ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯିବ।
ଅନ୍ୟ ରାଜ୍ୟରେ ଥିବା ମହାପ୍ରଭୁଙ୍କ ଜମିର ତଥ୍ୟ ସଂଗ୍ରହ ସହ ଏହାର ପୁନରୁଦ୍ଧାର ଓ ପଞ୍ଜୀକରଣ ପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପର୍ଯ୍ୟାୟକ୍ରମେ ଚିଠି ଲେଖାଯିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।
ଦୁଇ ବର୍ଷରେ ୩୪,୨୫୧ ଭୂମିହୀନ ପରିବାରକୁ ଘରଡ଼ିହ
ବସୁନ୍ଧରା ଯୋଜନାରେ ସର୍ଭେ ପରେ ଗତ ଦୁଇ ବର୍ଷରେ ୩୪,୨୫୧ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘରଡ଼ିହ ଆବଣ୍ଟନ କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଥମିକତା ଦେଇ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ବର୍ଷ ଶେଷ ସୁଦ୍ଧା ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା
ରାଜ୍ୟର ମୋଟ ୫୨,୦୫୬ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ୨୭,୫୫୬ଟି ଅନୁଷ୍ଠାନ ସପକ୍ଷରେ ଜମିପଟ୍ଟା ସଂଶୋଧନ କାର୍ଯ୍ୟ ଶେଷ ହୋଇଛି। ଲିଜ୍ ଯୋଗ୍ୟ ଜମିରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ୨୦୨୬ ବର୍ଷ ଶେଷ ସୁଦ୍ଧା ଜମି ପଟ୍ଟା ପ୍ରଦାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




