ଭୁବନେଶ୍ୱର: ଓଡ଼ିଶାର ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ୨୫ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ପ୍ରଫେସନାଲ ଟ୍ୟାକ୍ସ (ବୃତ୍ତି କର) କୁ ମୋହନ ଚରଣ ମାଝୀଙ୍କ ସରକାର ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ‘ଓଡ଼ିଶା ରାଜ୍ୟ ପ୍ରଫେସନାଲ ଟ୍ୟାକ୍ସ (ଉଚ୍ଛେଦ) ଅଧ୍ୟାଦେଶ – ୨୦୨୬’ କୁ ଅନୁମୋଦନ କରିଛନ୍ତି।

ଏହି ନୂଆ ନିୟମ ୨୦୨୬ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ଅର୍ଥାତ ଚଳିତ ଆର୍ଥକ ବର୍ଷରୁ କୌଣସି କର୍ମଚାରୀଙ୍କ ଦରମାରୁ ବୃତ୍ତି କର କଟାଯିବ ନାହିଁ। ସରକାରଙ୍କ ମତରେ, ଆୟକର (Income Tax) ଦେଉଥିବା ବ୍ୟକ୍ତିଙ୍କ ଉପରେ ଏହି ବୃତ୍ତି କର ଏକ ଅତିରିକ୍ତ ବୋଝ ଥିଲା। ଏହାକୁ ଉଠାଇବା ଦ୍ୱାରା ଲୋକଙ୍କ ଆର୍ଥିକ ବୋଝ କମିବ।

ଏହି ଟିକସ ଉଚ୍ଛେଦ ଯୋଗୁଁ ରାଜ୍ୟ କୋଷାଗାର ବାର୍ଷିକ ପ୍ରାୟ ୩୦୦ ରୁ ୩୨୦ କୋଟି ଟଙ୍କାର ରାଜସ୍ୱ ହରାଇବ। ଏପ୍ରିଲ ୧ ପୂର୍ବରୁ ଯଦି କାହାର ଟିକସ ବାକି ରହିଥାଏ କିମ୍ବା କୌଣସି ଆଇନଗତ ପ୍ରକ୍ରିୟା ଚାଲିଥାଏ, ତେବେ ତାହା ପୁରୁଣା ନିୟମ ଅନୁଯାୟୀ ଜାରି ରହିବ।ଅର୍ଥ ବିଭାଗ ପକ୍ଷରୁ ସମସ୍ତ ଡିଡିଓ (DDO) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏପ୍ରିଲ ମାସରୁ କୌଣସି ବି କର୍ମଚାରୀଙ୍କ ଦରମାରୁ ଯେପରି ପ୍ରଫେସନାଲ ଟ୍ୟାକ୍ସ ବାବଦକୁ ଅର୍ଥ କଟା ନଯାଏ। ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।