ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଥିବା ଦେବାଶିଷ ସାମନ୍ତରାୟଙ୍କ ଆସନ ଖାଲି ପଡ଼ିବା ପରେ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜି (ସୋମବାର) ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୯ରେ ନାମାଙ୍କନ ପତ୍ର ଯାଞ୍ଚ (ସ୍କ୍ରୁଟିନି) କରାଯିବାକୁ ଥିବାବେଳେ ଜୁନ୍ ୧୧ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ଜୁନ୍ ୧୮ ତାରିଖରେ ମତଦାନ ହେବ ଏବଂ ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହିଦିନ ହିଁ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।
ଏହି ଉପ-ନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର (RO) ଭାବେ ନିଯୁକ୍ତ କରାଯାଇଥିବା ବେଳେ ଯୁଗ୍ମ ସଚିବ ବିଦ୍ୟାଧର ମାଝୀ ସହକାରୀ ରିଟର୍ଣ୍ଣିଂ ଅଫିସର (ARO) ଭାବେ ଦାୟିତ୍ୱ ତୁଲାଇବେ।
ପୂର୍ବତନ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଗତ ମେ’ ୨୫ ତାରିଖରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମେ’ ୨୬ରେ ସେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି।
ରାଜନୈତିକ ମହଲରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ଯେ, ବିଜେପି ଚଳିତ ଉପ-ନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କୁ ହିଁ ପୁଣି ପ୍ରାର୍ଥୀ କରିପାରେ। ଯଦି ସେ ଦଳୀୟ ଟିକେଟ୍ ପାଇ ନିର୍ବାଚିତ ହୁଅନ୍ତି, ତେବେ ଇସ୍ତଫା ଦେବାର ମାସକ ମଧ୍ୟରେ ପୁଣି ଥରେ ରାଜ୍ୟସଭାକୁ ଫେରିବାର ଏକ ନୂଆ ରେକର୍ଡ କରିବେ।
ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧୮ ତାରିଖରେ ଦେଶର ୧୧ଟି ରାଜ୍ୟର ସମୁଦାୟ ୨୫ଟି ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଓଡ଼ିଶାର ଏହି ଆସନ ମଧ୍ୟ ସାମିଲ ରହିଛି।




