ଭୁବନେଶ୍ୱର: ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଦିଗରେ ସରକାର ଦ୍ରୁତ ଗତିରେ ପଦକ୍ଷେପ ନେଉଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ (GW) ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଏହି ଲକ୍ଷ୍ୟକୁ ସାକାର କରିବା ନେଇ ବୁଧବାର ଆଇଇଇଏମ୍‌ଏ (IEEMA) ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଶକ୍ତି ଓ ଶିଳ୍ପ କ୍ଷେତ୍ରର ଭବିଷ୍ୟତ ରୂପରେଖ ଉପସ୍ଥାପନ କରିଥିଲେ।

ସେ କହିଥିଲେ, ଓଡ଼ିଶା ବର୍ତ୍ତମାନ ଏକ ବିଦ୍ୟୁତ୍‌-ବଳକା ରାଜ୍ୟ ଭାବେ ପରିଚିତ। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ଭିଜନ୍‌କୁ ଆଧାର କରି ରାଜ୍ୟରେ ସ୍ମାର୍ଟ ଗ୍ରିଡ୍‌, ଡିଜିଟାଲ୍‌ ସବ୍‌ଷ୍ଟେସନ୍‌ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ବିଦ୍ୟୁତ୍‌ ପରିଚାଳନା ବ୍ୟବସ୍ଥା ବିକଶିତ କରାଯିବ। ଏହା ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ଆହୁରି ଆଧୁନିକ ଓ ସୁଦୃଢ଼ କରାଯିବ।

ରାଜ୍ୟରେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ନିବେଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ ଉଚ୍ଚମାନର ବିଦ୍ୟୁତ୍‌ ଉପକରଣ, ଟ୍ରାନ୍ସଫର୍ମର ଏବଂ ପାୱାର ଇନ୍‌ଫ୍ରାଷ୍ଟ୍ରକ୍ଚର ସାମଗ୍ରୀର ଚାହିଦା ବୃଦ୍ଧି ପାଇବ ବୋଲି ସରକାର ଆକଳନ କରିଛନ୍ତି। ଓଡ଼ିଶାର ବନ୍ଦର ସଂଯୋଗ ଓ ରଣନୀତିକ ଭୌଗୋଳିକ ସ୍ଥିତି ଏହି କ୍ଷେତ୍ରର ଉତ୍ପାଦନ ଏବଂ ରପ୍ତାନିକୁ ଅଧିକ ସୁଗମ କରିବ।

ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, OPTCL ସିଏମଡି ଭାସ୍କର ଜ୍ୟୋତି ଶର୍ମା, କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ ଓ ଆଇଇଇଏମ୍‌ଏର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଶେଷରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ‘ଓଡ଼ିଶାରେ ଉତ୍ପାଦନ କରନ୍ତୁ, ନବୋନ୍ମେଷ କରନ୍ତୁ ଏବଂ ସମୃଦ୍ଧ ହୁଅନ୍ତୁ’ ବାର୍ତ୍ତା ଦେଇ ଦେଶ ଓ ବିଦେଶର ନିବେଶକମାନଙ୍କୁ ରାଜ୍ୟରେ ନିବେଶ କରିବାକୁ ଆହ୍ୱାନ ଜଣାଇଥିଲେ।