ଭୁବନେଶ୍ୱର: ଶିଳ୍ପାୟନ ସହ ରାସାୟନିକ ଦୁର୍ଘଟଣାର ବିପଦ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଙ୍କଟ ଗୋଷ୍ଠୀର ବୈଠକରେ ରାସାୟନିକ ଦୁର୍ଘଟଣା ପ୍ରତିରୋଧ, ପ୍ରସ୍ତୁତି, ତ୍ୱରିତ ମୁକାବିଲା ଓ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନା ନେଇ ଆଲୋଚନା ହୋଇଛି।
ବୈଠକରେ ମୁଖ୍ୟ ସଚିବ ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରିବା ସହ ଜିଲ୍ଲା ଓ ସ୍ଥାନୀୟ ସ୍ତରରେ ଜରୁରୀକାଳୀନ ଯୋଜନାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ନିୟମିତ ମକ୍ଡ୍ରିଲ୍, ସେଫ୍ଟି ଅଡିଟ୍ ଏବଂ ତଥ୍ୟଭିତ୍ତିକ ବିପଦ ଆକଳନ ମାଧ୍ୟମରେ ପ୍ରସ୍ତୁତିରେ ଥିବା ତ୍ରୁଟି ଚିହ୍ନଟ କରିବାକୁ ସେ କହିଛନ୍ତି।
ଶିଳ୍ପ ସଂସ୍ଥାରୁ ଜିଲ୍ଲା ପର୍ଯ୍ୟନ୍ତ ଏକୀକୃତ ବ୍ୟବସ୍ଥା
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ବିଭାଗୀୟ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ଏକୀକୃତ ବ୍ୟବସ୍ଥାରେ ଆଣିବା ଉପରେ ଜୋର ଦେଇଥିଲେ। ଶିଳ୍ପ ସଂସ୍ଥାରେ ଥିବା ଅନ୍-ସାଇଟ୍ ଏମର୍ଜେନ୍ସି ପ୍ଲାନ୍ର ନିୟମିତ ସମୀକ୍ଷା ସହ କାରଖାନା ବାହାରେ ରାସାୟନିକ ପଦାର୍ଥ ପରିବହନ ସମୟରେ ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ, ତାହାର ମଧ୍ୟ ସମୀକ୍ଷା କରିବାକୁ କୁହାଯାଇଛି।
ରାସାୟନିକ ବିପଦପ୍ରବଣ ଅଞ୍ଚଳର GIS ଆଧାରିତ ମ୍ୟାପିଂ କରିବା ଏବଂ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତି ବଢ଼ାଇବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଶିଳ୍ପ ସଂସ୍ଥା, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଇବାକୁ କୁହାଯାଇଛି।
ଆବଶ୍ୟକ ହେବ ତାଲିମପ୍ରାପ୍ତ ମାନବସମ୍ବଳ
ଅଗ୍ନିଶମ ସେବା ଡିଜିଙ୍କ ଡା. ସୁଧାଂଶୁ ଷଡ଼ଙ୍ଗୀ ରାସାୟନିକ ଦୁର୍ଘଟଣା ସମୟରେ ତ୍ୱରିତ ପଦକ୍ଷେପ ପାଇଁ ତାଲିମପ୍ରାପ୍ତ ମାନବସମ୍ବଳ, ଆବଶ୍ୟକ ଉପକରଣ ଓ ସ୍ୱତନ୍ତ୍ର ଜରୁରୀକାଳୀନ ଯାନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ନିୟମିତ ମକ୍ଡ୍ରିଲ୍ ସହ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥାର ମିଳିତ ଅଭ୍ୟାସ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ।
ରାସାୟନିକ ଦୁର୍ଘଟଣା ସମୟରେ ଉଦ୍ଧାର, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଚିକିତ୍ସା ଓ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର କ୍ଷମତା ବଢ଼ାଇବା ନେଇ ମଧ୍ୟ ଆଲୋଚନା ହୋଇଛି।୧୫ ଶିଳ୍ପାଞ୍ଚଳରେ ଲୋକାଲ୍ କ୍ରାଇସିସ୍ ଗ୍ରୁପ୍ଓଡ଼ିଶାର ୧୫ଟି ଚିହ୍ନଟ ଶିଳ୍ପାଞ୍ଚଳ ପାଇଁ ଲୋକାଲ୍ କ୍ରାଇସିସ୍ ଗ୍ରୁପ୍ ଗଠିତ ହୋଇଛି।
ତାଲଚେର, କାଣିହା-ଡେରଙ୍ଗ, ଅନୁଗୁଳ, ବାଲେଶ୍ୱର, କଟକ, ପାରାଦୀପ, ଖୋର୍ଦ୍ଧା, ଭୁବନେଶ୍ୱର, ରାୟଗଡ଼ା, ପାନପୋଷ, ରେଙ୍ଗାଲି, କଳିଙ୍ଗନଗର, ମେରାମୁଣ୍ଡଳୀ, ଭଦ୍ରକ ଓ ଝାରସୁଗୁଡ଼ା ଏହି ତାଲିକାରେ ରହିଛି। ଏହି ଗୋଷ୍ଠୀଗୁଡ଼ିକ ସ୍ଥାନୀୟ ଜରୁରୀକାଳୀନ ଯୋଜନା ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମକ୍ଡ୍ରିଲ୍ ପରିଚାଳନାରେ ଭୂମିକା ନେଇଥାନ୍ତି।
ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ମଧ୍ୟ ଜିଲ୍ଲା କ୍ରାଇସିସ୍ ଗ୍ରୁପ୍ ରହିଛି। ନିୟମ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ବର୍ଷକୁ ଅତିକମ୍ରେ ଥରେ ରାସାୟନିକ ଦୁର୍ଘଟଣା ନେଇ ଫୁଲ୍-ସ୍କେଲ୍ ମକ୍ଡ୍ରିଲ୍ କରିବାର ବ୍ୟବସ୍ଥା ରହିଛି।




