ଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡ଼ି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ଇନର୍‌ ରିଂ ରୋଡ୍‌ ସହ ଆଉଟର ରିଂ ରୋଡ୍‌କୁ ଯୋଡ଼ିବା ପାଇଁ ପ୍ରସ୍ତାବିତ ନୂଆ ଆଲାଇନ୍‌ମେଣ୍ଟ ସମେତ ଏକାଧିକ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି।

ଆଉଟର ରିଂ ରୋଡ୍‌ର ନୂଆ ଆଲାଇନ୍‌ମେଣ୍ଟ

ଭୁବନେଶ୍ୱର ଇନର୍‌ ରିଂ ରୋଡ୍‌କୁ ଆଉଟର ରିଂ ରୋଡ୍‌ ସହ ସଂଯୋଗ କରିବାକୁ ଥିବା ନୂଆ ଆଲାଇନ୍‌ମେଣ୍ଟର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ଏହା ସହ କଳ୍ପନା ଛକ ଫ୍ଲାଏଓଭର ଏବଂ ପୁରୀ ଅଭିମୁଖେ ଯାତାୟାତକୁ ସୁଗମ କରିବା ପାଇଁ ପ୍ରସ୍ତାବିତ ନୂଆ ଏଲିଭେଟେଡ୍‌ ରାସ୍ତାର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଛି।

ଏଲିଭେଟେଡ୍‌ କରିଡର ଓ ପିପିଲି-କୋଣାର୍କ ରାସ୍ତା

ରଘୁନାଥପୁର-ତ୍ରିଶୁଳିଆ ଏଲିଭେଟେଡ୍‌ କରିଡର ନିର୍ମାଣ ଏବଂ ଷ୍ଟୁଡିଓ ଛକରୁ ନୂଆଗାଁ ପର୍ଯ୍ୟନ୍ତ ଏଲିଭେଟେଡ୍‌ ରାସ୍ତା ନିର୍ମାଣ ନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା।

ସେହିପରି ପିପିଲି-କୋଣାର୍କ ରାସ୍ତା ନିର୍ମାଣ ଏବଂ ଦୟା ୱେଷ୍ଟ କେନାଲ ରୋଡ୍‌ର ପ୍ରଥମ ଓ ତୃତୀୟ ପର୍ଯ୍ୟାୟ କାମର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଛି।

ଜମି ଅଧିଗ୍ରହଣ ଓ DPR ଉପରେ ଗୁରୁତ୍ୱ

ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ରହିଥିବା ପ୍ରତିବନ୍ଧକ ଦୂର କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ଗୁରୁତ୍ୱ ଦେବାକୁ କହିଛନ୍ତି। ବିଶେଷକରି ଜମି ଅଧିଗ୍ରହଣ ଓ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (DPR) ପ୍ରସ୍ତୁତି ପ୍ରକ୍ରିୟାକୁ ଶୀଘ୍ର କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ମୁଖ୍ୟ ଯନ୍ତ୍ରୀ ଏବଂ ଓବିସିସିର ଅଧିକାରୀମାନେ ଉପସ୍ଥିତ ଥିଲେ।