ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିବା ପରେ ଏବେ ଶିକ୍ଷା ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାତ୍ର ୫୦ଟି ପାଠ୍ୟପୁସ୍ତକରେ ୨,୧୨୫ଟି ସାଙ୍ଘାତିକ ଭୁଲ୍ ଚିହ୍ନଟ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି।
ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ନେତୃତ୍ୱରେ ଗଠିତ ଏହି ୩ ଜଣିଆ କମିଟି ଗତ ତିନି ଦିନ ହେବ ଘଟଣାର ଜୋରଦାର ଖୋଳତାଡ଼ ଚଳାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ସମୀକ୍ଷା ଏବଂ ମୁଦ୍ରଣର କେଉଁ ସ୍ତରରେ ଏଭଳି ବଡ଼ ଧରଣର ଅବହେଳା ହେଲା, ସେନେଇ କମିଟି ବିଭିନ୍ନ ସ୍ତରର ଅଧିକାରୀଙ୍କ ସହ ଆଲୋଚନା କରୁଛି। ଏପର୍ଯ୍ୟନ୍ତ ପ୍ରାୟ ୧୦ ଜଣ ଶିକ୍ଷା ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇସାରିଲାଣି।
ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅଧୀନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ଏହି ବହିଗୁଡ଼ିକରେ ଅନେକ ହାସ୍ୟାସ୍ପଦ ଓ ସାଙ୍ଘାତିକ ତଥ୍ୟଗତ ଭୁଲ୍ ରହିଛି। ବିଜ୍ଞାନ ବହିରେ ଆଇଜାକ୍ ନିଉଟନଙ୍କୁ ବୈଜ୍ଞାନିକ ବଦଳରେ “ମହାନ ପାଇଲଟ୍” ଲେଖାଯାଇଥିବା ବେଳେ, ଓଡ଼ିଶା ବିଧାନସଭା ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି। ସେହିପରି ଓଡ଼ିଶାର ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଦର୍ଶାଯାଇଥିବା ବେଳେ ବହୁ ଭାଷାଗତ ଓ ବନାନ ତ୍ରୁଟି ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ଅଭିଭାବକ ମହଲ ଓ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି। ଏଭଳି ଭୁଲ୍ କୋମଳମତି ଶିଶୁଙ୍କ ଭବିଷ୍ୟତ ସହ ଖେଳୱାଡ଼ ବୋଲି ଅଭିଯୋଗ ହେଉଛି। ତଦନ୍ତ କମିଟିକୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ, ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀ ଓ ସଂସ୍ଥା ବିରୋଧରେ କି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।




