ଭୁବନେଶ୍ୱର: ବିଜେଡିର ଆଗଧାଡ଼ିର କିଛି ବିଧାୟକଙ୍କ ବିରୋଧରେ ଆଗତ ହୋଇଥିବା ସଦସ୍ୟତା ରଦ୍ଦ ଆବେଦନକୁ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି। ଗତ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ କରି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ କ୍ରସ-ଭୋଟିଂ କରିଥିବା ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ନିଜର କିଛି ବିଧାୟକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।

ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ଏପ୍ରିଲ ୨୫, ୨୦୨୬ରେ ବାଚସ୍ପତିଙ୍କୁ ଭେଟି ସମ୍ବିଧାନର ଦଶମ ଅନୁସୂଚୀ (ଦଳବଦଳ ବିରୋଧୀ ଆଇନ)ର ଧାରା ୨(୧)(ଏ) ଅନୁଯାୟୀ ୮ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରିଥିଲେ। ତେବେ ବାଚସ୍ପତି ଏହି ଆବେଦନଗୁଡ଼ିକୁ ଅଗ୍ରାହ୍ୟ କରିଦେଇଛନ୍ତି, ଯାହା ବିଜେଡି ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି।

ଏହି ବିଧାୟକମାନଙ୍କୁ ମିଳିଲା ଆଶ୍ୱସ୍ତି:

ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ଅଭିଯୋଗରେ ଦଳରୁ ନିଲମ୍ବିତ ହୋଇଥିବା ଛଅ ଜଣ ବିଧାୟକ ହେଲେ:

  • ଚକ୍ରମଣି କହଁର (ବାଲିଗୁଡ଼ା)
  • ନବ କିଶୋର ମଲ୍ଲିକ (ଜୟଦେବ)
  • ସୌଭିକ ବିଶ୍ୱାଳ (ଚୌଦ୍ୱାର-କଟକ)
  • ସୁବାସିନୀ ଜେନା (ବାସ୍ତା)
  • ରମାକାନ୍ତ ଭୋଇ (ତିର୍ତ୍ତୋଲ)
  • ଦେବୀ ରଞ୍ଜନ ତ୍ରିପାଠୀ (ବାଙ୍କୀ)

ଏମାନଙ୍କ ବ୍ୟତୀତ ପୂର୍ବରୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ଅରବିନ୍ଦ ମହାପାତ୍ର (ପାଟକୁରା) ଏବଂ ସନାତନ ମହାକୁଡ଼ (ଚମ୍ପୁଆ)ଙ୍କ ବିରୋଧରେ ମଧ୍ୟ ଆଗତ ଆବେଦନକୁ ଖାରଜ କରାଯାଇଛି।

ବାଚସ୍ପତିଙ୍କ ଏହି ରୁଲିଂ କ୍ରସ-ଭୋଟିଂ ଅଭିଯୋଗର ସାମ୍ନା କରୁଥିବା ଏବଂ ଦଳୀୟ କାର୍ଯ୍ୟାନୁଷ୍ଠାନ ଭୋଗୁଥିବା ଏହି ବିଧାୟକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଅପରପକ୍ଷରେ, ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜୋରଦାର ପ୍ରୟାସ କରୁଥିବା ବିଜେଡିର ରଣନୀତିକୁ ଏହା ଦୁର୍ବଳ କରିଦେଇଛି। ଏହି ନିଷ୍ପତ୍ତି ପରେ ରାଜ୍ୟ ରାଜନୀତିରେ ପୁଣି ଥରେ ହଲଚଲ ସୃଷ୍ଟି ହୋଇଛି।