ରାଜପଥରେ କାମ କରିବ ସ୍ୱୟଂଚାଳିତ କ୍ୟାମେରା, ନିୟମ ଭାଙ୍ଗିଲେ ସିଧାସଳଖ ଆସିବ ଚାଲାଣ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ ଓ କଡ଼ାକଡ଼ି କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜିଠାରୁ ରାଜ୍ୟର ପ୍ରମୁଖ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ବୈଷୟିକ ଜ୍ଞାନକୌଶଳ ଆଧାରିତ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍’ (IEMS) ବା AI ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି।

ଏହି ଆଧୁନିକ ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ରାଜପଥରେ ହେଉଥିବା ୪ ପ୍ରକାରର ପ୍ରମୁଖ ନିୟମ ଉଲ୍ଲଂଘନକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରାଯିବ। ସେଗୁଡ଼ିକ ହେଲା:

  • ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା (Over-speeding)
  • ଦୁଇଚକିଆ ଯାନରେ ତିନିଜଣ ଯାତ୍ରା କରିବା (Triple riding)
  • ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇବା
  • ଭୁଲ୍ ଦିଗରେ ଗାଡ଼ି ଚଳାଇବା (Wrong-side driving)

ରାଜପଥରେ ଲାଗିଥିବା ଏଆଇ କ୍ୟାମେରାଗୁଡ଼ିକ ନିୟମ ଭାଙ୍ଗୁଥିବା ଗାଡ଼ିର ଫଟୋ ଓ ଭିଡିଓ ରେକର୍ଡ କରି ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରିବ।

ପ୍ରଥମ ପର୍ୟ୍ୟାୟରେ ଏହି ୪ଟି ରୁଟ୍‌ରେ ଲାଗୁ:

ଏସ୍‌ଟିଏ ଅନୁଯାୟୀ, ପ୍ରଥମ ପର୍ୟ୍ୟାୟରେ ମଙ୍ଗୁଳି-ସମ୍ବଲପୁର, ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି ଏବଂ ବ୍ରହ୍ମପୁର-ଭଞ୍ଜନଗର ରାଜପଥରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

ନୂଆ ବେଗ ସୀମା (Speed Limit):

  • ୪ ଲେନ୍ ବିଶିଷ୍ଟ ରାଜପଥ: ଦୁଇଚକିଆ ଯାନ – ୬୦ କିମି/ଘଣ୍ଟା, କାର୍/ହାଲୁକା ଯାନ – ୧୦୦ କିମି/ଘଣ୍ଟା, ଭାରୀଯାନ – ୮୦ କିମି/ଘଣ୍ଟା।
  • ୨ ଲେନ୍ ବିଶିଷ୍ଟ ରାଜପଥ: ଦୁଇଚକିଆ ଯାନ – ୫୦ କିମି/ଘଣ୍ଟା, ହାଲୁକା ଓ ଭାରୀଯାନ – ୬୦ କିମି/ଘଣ୍ଟା।

ଏହି ନିର୍ଦ୍ଧାରିତ ବେଗ ସୀମା ଟପିଲେ ବା ଅନ୍ୟ କୌଣସି ଟ୍ରାଫିକ୍ ନିୟମ ଭାଙ୍ଗିଲେ ଗାଡ଼ି ମାଲିକଙ୍କ ପାଖକୁ ସିଧାସଳଖ ଇ-ଚାଲାଣ ମେସେଜ୍ ଚାଲିଯିବ। ତେଣୁ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।