ଭୁବନେଶ୍ୱର: ରାଜ୍ୟର ୩ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୋସିଆଲ ମିଡିଆରେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅନଧିକୃତ ମନ୍ତବ୍ୟ ଦେବା ଏବଂ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଅନୁମତି ବିନା କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ରହିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି।

ନିଲମ୍ବିତ ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସିଏଚ୍‌ସିର ମେଡିକାଲ ଅଫିସର ଡା. ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପିଏଚ୍‌ସିର ମେଡିକାଲ ଅଫିସର ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍‌ଡିଏଚ୍‌ର ମେଡିକାଲ ଅଫିସର ଡା. ସୁପ୍ରକାଶ ଦାସ।

ସୋସିଆଲ ମିଡିଆ ମନ୍ତବ୍ୟ ପାଇଁ ଡାକ୍ତର ନିଲମ୍ବିତ

ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଡା. ପ୍ରଭାକର ବେହେରାଙ୍କୁ ନିଲମ୍ବନ କରାଯାଇଛି। ସେ ସାମାଜିକ ଗଣମାଧ୍ୟମରେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅନଧିକୃତ ମନ୍ତବ୍ୟ ଲେଖିଥିବା ଅଭିଯୋଗ ହୋଇଛି। ଏହାକୁ ସରକାରୀ କର୍ମଚାରୀଙ୍କ ଆଚରଣ ବିଧିର ଉଲ୍ଲଂଘନ ଭାବେ ବିଚାର କରି ବିଭାଗ ପଦକ୍ଷେପ ନେଇଛି।

ବାତ୍ୟା ସମୟରେ ଅନୁପସ୍ଥିତ ଥିଲେ ଦୁଇ ଡାକ୍ତର

ସେହିପରି ଗଞ୍ଜାମ ଜିଲ୍ଲାର ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ବେଳେ ଉଭୟ ଡାକ୍ତର ବିନା ଅନୁମତିରେ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଥିବା ଅଭିଯୋଗ ରହିଛି।

ନିଲମ୍ବନ ଅବଧିରେ ମୁଖ୍ୟାଳୟ ଛାଡ଼ିବା ମନା

ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍‌ (CCA) ନିୟମାବଳୀ, ୧୯୬୨ର ନିୟମ ୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି।

ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିବ। ଅନ୍ୟ ଦୁଇ ଡାକ୍ତର ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ବ୍ରହ୍ମପୁର ସିଟି ହସ୍ପିଟାଲ ନିର୍ଦ୍ଧାରଣ କରାଯାଇଛି। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୃଥକ୍‌ ନିର୍ଦ୍ଦେଶନାମା ଜାରି ହୋଇଛି।