ବାରିପଦା: ଜନଗଣନା (Census) କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶିକ୍ଷୟିତ୍ରୀ ନିଖୋଜ ହେବା ଘଟଣା ଏବେ ମୟୂରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜ୍ୟୋତ୍ସ୍ନାରାଣୀ ସାହୁ। ସେ ବାରିପଦା ବ୍ଲକ ଢେଙ୍କିନାଞ୍ଜିଆ ସରକାରୀ ୟୁପି ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ।

ଗତ ଶନିବାର (୧୮ ଏପ୍ରିଲ ୨୦୨୬) ସକାଳୁ ସେ ଜନଗଣନା କାର୍ଯ୍ୟ ପାଇଁ ଘରୁ ବାହାରିଥିଲେ, କିନ୍ତୁ ସେବେଠାରୁ ଆଉ ଘରକୁ ଫେରିନାହାନ୍ତି।

ଶନିବାର ସକାଳ ପ୍ରାୟ ୭ଟା ସମୟରେ ସେ ସ୍କୁଲକୁ ଯାଇ ସେଠାରୁ ଜନଗଣନା ଡ୍ୟୁଟିରେ ବାହାରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଥିଲା।

ପରିବାର ପକ୍ଷରୁ ବାରିପଦା ସଦର ଥାନାରେ ଏକ ଏଫ୍‌ଆଇଆର୍ (FIR) ଦାୟର କରାଯାଇଛି। ପୋଲିସ ମୋବାଇଲ୍ ଟ୍ରାକିଂ ଜରିଆରେ ତାଙ୍କର ସ୍ଥିତି ଜାଣିବାକୁ ଚେଷ୍ଟା କରୁଛି। ଏହି ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ (BEO) ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ଅବଗତ କରାଯାଇଛି। ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା ପରେ ଶିକ୍ଷୟିତ୍ରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ଦୀର୍ଘ ୮ ବର୍ଷ ହେବ ବାରିପଦା ଅଞ୍ଚଳରେ ଶିକ୍ଷକତା କରୁଥିଲେ। ତାଙ୍କର ନିଖୋଜ ଖବର ସ୍ଥାନୀୟ ଶିକ୍ଷକ ସମାଜ ମଧ୍ୟରେ ଉଦ୍‌ବେଗ ପ୍ରକାଶ କରିଛି।